ଭୋଗରାଇର ପୂର୍ବତନ ବିଧାୟକ ତଥା ସୁଲେଖକ ଡକ୍ଟର କାର୍ତ୍ତିକେଶ୍ବର ପାତ୍ରଙ୍କ ଦେହାନ୍ତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ପୂର୍ବତନ ସାଂସଦ ତଥା ଭୋଗରାଇ ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ ବର୍ଷୀୟାନ ରାଜନେତା ଓ ସୁଲେଖକ ଡ. କାର୍ତ୍ତିକେଶ୍ୱର ପାତ୍ର ଆଉ ନାହାନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବଲେନ୍ସରେ ଭୁବନେଶ୍ୱର ନିଆଯାଉଥିବା ବେଳେ ଗତକାଲି ରାତ୍ରି ୧୨.୪୦ରେ ଭଦ୍ରକ ନିକଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜ୍ୟରେ ସେ ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ପରିଚିତ ଥିଲେ । ତାଙ୍କର ପରୋଲୋକ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମ ମାଟି ଭୋଗରାଇ ଏବଂ ସମଗ୍ର ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ ତିନି ଚାରି ଦିନ ହେବ ସେ ଜ୍ୱରରେ ପୀଡିତ ହୋଇଥିବା ଗତକାଲି ତାଙ୍କର କରୋନା ପରୀକ୍ଷା କରାଇବାରୁ ପଜିଟିଭ ଆସିଥିଲା । କିନ୍ତୁ ସନ୍ଧ୍ୟାରେ ଅଚାନକ ଦେହ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଉଥିଲା । ସାଙ୍ଗରେ ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର ଏବଂ ଏକମାତ୍ର ପୁତ୍ର ଦେବାଶିଷ ପାତ୍ର ଉପସ୍ଥିତ ମଧ୍ୟ ଥିଲେ । ୧୯୪୧ ମସିହାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁନ୍ଦରାଡୀ ଗ୍ରାମରେ ଜନ୍ମ ହୋଇ ଥିଲେ । କେବଳ ଜଣେ ରାଜନେତା ନୁହେଁ ଜଣେ ସାହିତ୍ୟିକ ଭାବେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିଲେ । ସମାଜ ସେବା ଓ ରାଜନୀତିର ବ୍ୟସ୍ତତା ଭିତରେ ବି ନିରନ୍ତର ସାହିତ୍ୟ ସାଧନା ଜାରି ରଖିଥିଲେ । ତାଙ୍କ ରଚିତ କାରୁବାକି, ଇତିହାସର ଛାଇ, କଳିଙ୍ଗ କନ୍ୟା, ଉତ୍କଳର ନୌବାଣିଜ୍ୟ ଇତ୍ୟାଦି ପୁସ୍ତକ ଲୋକମାନଙ୍କର ଆଦୃତ ହୋଇଥିଲା । ଦୂରଦର୍ଶନରେ ପ୍ରସାରଣ ସମ୍ରାଟ ଖାରବେଳ ତଥା ଶହେରୁ ଉର୍ଦ୍ଧ୍ୱ ବହି ଲେଖି ସାରସ୍ୱତ ମହଲରେ ସୁନାମ ଅର୍ଜନ କରି ଥିଲେ । ଆଜି ତାଙ୍କର ମୃତ୍ୟୁରେ ଭୋଗରାଇରେ ଶୋକର ଛାୟା ଦେଖିବାକୁ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.