ପୁରୀ ସମୁଦ୍ରକୂଳରେ ଥିବା ୪ଟି ହୋଟେଲରେ ଚଢ଼ାଉ, ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଯୋଗାଉଥିବା ଅଭିଯୋଗ

ପୁରୀ (କେନ୍ୟୁଜ): ପୁରୀ ସମୁଦ୍ରକୂଳରେ ଥିବା ବିଭିନ୍ନ ହୋଟେଲରେ ଚଢାଉ। ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଯୋଗାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି। ପୁରୀ ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ପୋଲିସ ଟିମ୍‌ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି। ଦିଗବାରିଣୀ ଛକଠାରୁ ଆଚାର୍ଯ୍ୟ ହରିହର ଛକ ମଧ୍ୟରେ ଥିବା ୪ଟି ହୋଟେଲରେ ଚଢାଉ ସମୟରେ ଗୋଟିଏ ହୋଟେଲର ଖାଦ୍ୟ ନିରାପତ୍ତା ଲାଇସେନ୍ସ ନଥିଲା।

ଅନ୍ୟ ଗୋଟିଏ ହୋଟେଲର କୋର୍ଟରେ ମାମଲା ରହିଛି। ଏଥିପାଇଁ ଦୁଇଟି ହୋଟେଲକୁ ଆଜି ୫ ହଜାର ଟଙ୍କା ଲେଖାଏ ଫାଇନ୍‌ କରାଯାଇଛି। ହୋଟେଲ ଗୁଡିକ ନିଜ ରେଷ୍ଟୁରାଣ୍ଟରେ ପରିମଳ ବ୍ୟବସ୍ଥା ଠିକ୍‌ ନଥିବା ବେଳେ ଦୁଇ ଦିନର ବାସି ଖାଦ୍ୟ ଯୋଗାଇଥିଲା ବୋଲି ଅଭିଯୋଗ ହୋଇଥିଲା। ବାସି ଖାଦ୍ୟ ଖାଇ ଅନେକ ଲୋକ ଡାଇରିଆ ଓ ପେଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ସଂକ୍ରାମକ ଓ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଅଭିଯୋଗ ଆସିବା ପରେ ଏହି ଚଢାଉ କରାଯାଇଛି। ନିୟମିତ ଯାଏ ଚଢାଉ କରାଯିବ ବୋଲି ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।