ନିଜ ସନ୍ତାନ ଭଳି ଭଲ ପାଉଥିଲେ କୁକୁରକୁ…ଏବେ ମୃତ୍ୟୁ ପରେ ୮୦,୦୦୦ ଟଙ୍କାରେ ତିଆରି କଲେ ପ୍ରତିମୂର୍ତ୍ତି; ପ୍ରତି ଶୁକ୍ରବାର ଦେଉଛନ୍ତି ଫୁଲମାଳ

ଯେଉଁମାନେ ପଶୁପକ୍ଷୀଙ୍କୁ ଭଲ ପାଆନ୍ତି, ସେମାନେ ନିଜ ଘରର ପୋଷା ଜୀବଜନ୍ତୁଙ୍କୁ ପରିବାର ସଦସ୍ୟ ବୋଲି ମାନନ୍ତି। ଅଜସ୍ର ସ୍ନେହ, ମମତା, ପ୍ରେମ ଅଜାଡ଼ି ଦିଅନ୍ତି ସେମାନଙ୍କ ଉପରେ। ଦୁନିଆରେ ଏମିତି ଅନେକ ଘଟଣା ଆପଣ କୁକୁର ଓ ମାଲିକକୁ ନେଇ ଶୁଣିଥିବେ। କିନ୍ତୁ ନିକଟରେ ତାମିଲନାଡ଼ୁରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ।

ଏଠାରେ ୮୨ ବର୍ଷର ଜଣେ ବୃଦ୍ଧ ବ୍ୟକ୍ତି ନିଜ ପୋଷା କୁକୁରର ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ଏବଂ ପ୍ରତିଦିନ ସେହି ମୂର୍ତ୍ତିରେ ଫୁଲମାଳ ଚଢ଼ାଉଛନ୍ତି। ଖବର ମୁତାବକ, ନିଜ ପୋଷା କୁକୁରକୁ ନିଆରା ପ୍ରେମ କରୁଥିବା ଏହି ବ୍ୟକ୍ତିଙ୍କ ନାମ ମୁଥୁ, ଯିଏକି ଜଣେ ସରକାରୀ କର୍ମଚାରୀ ଥିଲେ। ଏବେ ସେ ଅବସର ନେଇ ସାରିଛନ୍ତି। ମୁଥୁ ଶିବଗଙ୍ଗା ଜିଲ୍ଲାର ମନାମଦୁରେ ନିକଟରେ ନିଜ କୁକୁରର ପ୍ରତିମୂର୍ତ୍ତି ନିର୍ମାଣ କରାଇଛନ୍ତି।

କହି ରଖୁଛୁ, ମୁଥୁଙ୍କ ପୋଷା କୁକୁର ‘ଟମ୍‌’ ଏବେ ଏହି ଦୁନିଆରେ ନାହିଁ। କିନ୍ତୁ ତା’ର ସ୍ମୃତି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ମୁଥୁ, ଟମ୍‌ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ତାଜା ରଖିବାକୁ ଚାହୁଁଛନ୍ତି। ଏହି କାରଣରୁ ୮୦,୦୦୦ ଟଙ୍କା ଖର୍ଚ୍ଚ କରି ସେ କୁକୁରର ସୁନ୍ଦର ପ୍ରତିମୂର୍ତ୍ତି ତିଆରି କରାଇ ତାହାକୁ ସ୍ଥାପନ କରିଛନ୍ତି।

ମୁଥୁ କହିଛନ୍ତି ଯେ ‘ମୋର ନିଜ ପିଲାଙ୍କଠାରୁ ଅଧିକ କୁକୁର ପ୍ରତି ଭଲ ପାଇବା ରହିଛି। ଟମ୍‌ ୨୦୧୦ରୁ ମୋ ସହିତ ଥିଲା। ୨୦୨୧ରେ ତା’ର ମୃତ୍ୟୁ ଘଟିଥିଲା’। ସେହିପରି ମୁଥୁଙ୍କ ପୁଅ ମନୋଜ କୁମାର କହିଛନ୍ତି, ‘ଆମେ ଭବିଷ୍ୟତରେ ନିଜ ପୋଷା କୁକୁର ପାଇଁ ଏକ ମନ୍ଦିର ତିଆରି କରିବାକୁ ଯୋଜନା ରଖିଛୁ। ଆମେ ଶୁଭ ଦିନମାନଙ୍କରେ ଖାସ୍‌ କରି ଶୁକ୍ରବାର ଦିନ ମୂର୍ତ୍ତିରେ ଫୁଲମାଳ ଚଢ଼ାଇଥାଉ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.