Below header

ଚା’ ଦୋକାନୀରୁ ଜିଲ୍ଲା ପରିଷଦ ପ୍ରାର୍ଥୀ, ଘର ଘର ବୁଲି ଜିଣୁଛନ୍ତି ସମସ୍ତଙ୍କ ମନ

ଯାଜପୁର(କେନ୍ଯୁଜ୍): ପେଶା ଚା’ ଦୋକାନୀ କିନ୍ତୁ ନିଶା ରାଜନୀତି । ନିର୍ବାଚନରେ ଅର୍ଥ ଖର୍ଚ୍ଚ କରିବାରେ ସେ ବିଶ୍ୱାସ କରନ୍ତି ନାହିଁ । ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରି ସମତି ସଭ୍ଯ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ୧୧ନଂ ଜୋନ ପାଇଁ କଂଗ୍ରେସ ଦଳ ତାଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଛି । ଧର୍ମଶାଳା ବ୍ଲକ ରାଇଛନ୍ଦା ପଂଚାୟତ ବାରକଣା ଗ୍ରାମର ଗଙ୍ଗାଧର ମଲିକ। ଯିଏକି ଚା ଦୋକାନୀରୁ ଏବେ ଜିଲ୍ଲା ପରିଷଦ ପ୍ରାର୍ଥୀ ।

ଜଣେ ଚା’ ବିକାଳି ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ଯ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ୧୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ଧର୍ମଶାଳା ବ୍ଲକ ରାଇଛନ୍ଦା ପଂଚାୟତ ବାରକଣା ଗ୍ରାମର ଗଙ୍ଗାଧର ମଲିକ  କବାଟବନ୍ଧ ବ୍ରାହ୍ମଣୀବ୍ରିଜ୍‌ ବଜାରରେ ଦୀର୍ଘ ବର୍ଷ ହେଲା ଏକ ଚା ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କେବଳ ଚା ଦୋକାନ ନୁହେଁ ରାଜୀନୀତି ଓ ସମାଜସେବାରେ ତାଙ୍କର ରୁଚି ରହିଛି । ଦୀର୍ଘ ବର୍ଷ ହେଲା ସେ କଂଗ୍ରେସ ଦଳରେ ରହି ଆସିଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ତାଙ୍କୁ ଜିଲ୍ଲା ପରିଷଦ ଭାବେ ପ୍ରାର୍ଥୀ କରିଛି । ପ୍ରାର୍ଥୀ ହେବା ପରେ ଏବେ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସକାଳ ଓ ସଂଧ୍ୟା ସମୟରେ ଗଙ୍ଗାଧର ଚା’ ଦୋକାନ ଖୋଲି ଗ୍ରାହକମାନଙ୍କୁ ଆନନ୍ଦର ସହ ଚା ପରଶି ଦେଇଥାନ୍ତି । ଦୋକାନରୁ ଫୁରସତ ମିଳିଲେ ସେ ଲୋକଙ୍କ ସେବା କରିବାକୁ ମନ ବଳାଇଥାନ୍ତି । ୨୦୧୨ମସିହାରେ ରାଇଛନ୍ଦା ପଂଚାୟତର ସମିତିସଭ୍ଯ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୨୦୧୭ରେ ସେ ପୁଣି ସମିତିସଭ୍ଯ ପାଇଁ ଲଢିଥିଲେ ମଧ୍ୟ ଅଳ୍ପକେ ପରାଜିତ ହୋଇଥିଲେ । ନିର୍ବାଚନରେ ଅର୍ଥ ଖର୍ଚ୍ଚ କରିବାରେ ସେ ବିଶ୍ୱାସ କରନ୍ତି ନାହିଁ । ଏକା ଏକା ଗାଁ ଗାଁ ବୁଲି ଲୋକଙ୍କୁ ଭେଟି ଭୋଟ ପାଇଁ ନିବେଦନ କରିଥାନ୍ତି । ଜଣେ ସାଲିସବିହୀନ ଓ ନିର୍ବିବାଦୀୟ ବ୍ଯକ୍ତି ଭାବେ ସେ ସ୍ଥାନୀୟ ଅଂଚଳରେ ବେଶ ଜଣାଶୁଣା । ତାଙ୍କର ବ୍ଯକ୍ତିତ୍ୱ ଓ ଦଳ ପ୍ରତି ଥିବା ଆନୁଗତ୍ୟ ପାଇଁ ତାଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରାଯାଇଥିବା ବେଳେ ସେ ର୍ନିବାଚନରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ଧର୍ମଶାଳା କଂଗ୍ରେସ ନେତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.