ଏଥରକ ପଦ୍ମ ସମ୍ମାନରେ ସମ୍ମାନିତ ହେବେ ୧୨୮ ଜଣ, ଦେଖନ୍ତୁ କାହାକୁ ମିଳିବ କି ପୁରସ୍କାର

ଘୋଷଣା ହେଲା ପଦ୍ମ ସମ୍ମାନ। ଏଥରକ ଦେଶର ମୋଟ୍‌ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ। ସେମାନଙ୍କ ଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। କଳା କ୍ଷେତ୍ର ପାଇଁ ମହାରାଷ୍ଟ୍ରର ପ୍ରଭା ଆତ୍ରେ, ଶିକ୍ଷା ଓ ସାହିତ୍ୟ ପାଇଁ ମରଣୋତ୍ତର ଭାବେ ୟୁପିର ରାଧେଶ୍ୟାମ ଖେମକା, ପ୍ରଶାସନିକ ସେବା ପାଇଁ ମରଣୋତ୍ତର ଭାବେ ଜେନେରାଲ ବିପିନ ରାୱତ ଓ ପବ୍ଲିକ ଆଫାୟାର୍ସ ପାଇଁ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯିବ ।

ଏ ଅବସରରେ ୧୭ ଜଣଙ୍କୁ ମିଳିବ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ। ରାଜନେତାଙ୍କଠାରୁ ଆରମ୍ଭ କରି ଭ୍ୟାକ୍‌ସିନ ନିର୍ମାତା, ମାଇକ୍ରୋସଫ୍ଟ ଓ ଗୁଗୁଲ ସିଇଓ। କେନ୍ଦ୍ର ଶାସକ ଦଳର ଦୁଇ ବିରୋଧୀ ରାଜନେତା କଂଗ୍ରେସର ଗୁଲାମନବୀ ଆଜାଦ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ।

ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ନଟରାଜନ ଚନ୍ଦ୍ରଶେଖରନ୍‌, କ୍ରିଷ୍ଣା ଏଲା ଏବଂ ସୁଚିତ୍ରା ଏଲାଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ। ନଟରାଜନ ଚନ୍ଦ୍ରଶେଖରନ୍‌ ଏବେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଅଛନ୍ତି। ସେହିପରି କ୍ରିଷ୍ଣା ଏଲା ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ର ପ୍ରତିଷ୍ଠାତା ଏବଂ ତାଙ୍କ ପତ୍ନୀ ସୁଚିତ୍ରା ଏଲା କମ୍ପାନୀର ସହ ପ୍ରତିଷ୍ଠାତା। ସେହିପରି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସାଇରସ ପୁନାୱାଲାଙ୍କୁ ମଧ୍ୟ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବ । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମାଇକ୍ରୋସଫ୍ଟ ସିଇଓ ସତ୍ୟନାରାୟଣ ନାଦେଲା ଏବଂ ଗୁଗୁଲ ସିଇଓ ସୁନ୍ଦରରାଜନ ପିଚାଇଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି।

ସାହିତ୍ୟ ଓ ଶିକ୍ଷାରେ ଓଡ଼ିଶାରୁ ପ୍ରତିଭା ରାୟ, ଗୁଜରାଟରୁ ସ୍ୱାମୀ ସଚ୍ଚିଦାନନ୍ଦ ଏବଂ ଉତ୍ତର ପ୍ରଦେଶର ବଶିଷ୍ଠ ତ୍ରିପାଠୀଙ୍କୁ ସମ୍ମାନିତ କରାଯିବ। ପାକକଳା କ୍ଷେତ୍ରରେ ଭିକ୍ଟର ବାନାର୍ଜୀ ଏବଂ ମରଣୋତ୍ତର ଭାବେ ଗୁରମିତ ବାୱାଙ୍କୁ ସମ୍ମାନିତ କରାଯିବ। କଳାରେ ମଧୁର ଜାଫ୍ରି, କ୍ରୀଡ଼ାରେ ଦେବେନ୍ଦ୍ର ଝାଝାରିଆ, କଳାରେ ରଶିଦ ଖାନ, ସିଭିଲ ସର୍ଭିସରେ ରାଜୀବ ମେହେର୍ଷି, ବିଜ୍ଞାନ ଓ ବୈଷୟିକ ବିଦ୍ୟାରେ ସଞ୍ଜୟ ରାଜାରାମଙ୍କୁୁ ମରଣୋତ୍ତର ଭାବେ ପଦ୍ମଭୂଷଣରେ ସମ୍ମାନିତ କରାଯିବ।