ମାଲେସିଆ: ସେନାର ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍, ୧୦ ଜଣଙ୍କ ମୃତ୍ୟୁ
ମାଲେସିଆରେ ସେନାର ଦୁଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି ।

ମାଲେସିଆରେ ସେନାର ଦୁଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ମୁତାବକ, ରୟାଲ୍ ମାଲେସିଆନ୍ ନ୍ୟାଭିର ବାର୍ଷିକ ଅଭ୍ୟାସ କାର୍ଯ୍ୟକ୍ରମ ବେଳେ ସେନାର ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍ ହୋଇଥିଲା । ଲୁମୁଟର ରୟାଲ୍ ମାଲେସିଆନ୍ ନ୍ୟାଭି ଷ୍ଟାଡିୟମ୍ରେ ଆଜି ନ୍ୟାଭିର ରିହର୍ସାଲ ଚାଲିଥିଲା ।
ଏହି ଦୁର୍ଘଟଣା ବେଳର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ଏକ ହେଲିକପ୍ଟର ଅନ୍ୟ ହେଲିକପ୍ଟର ସହ ଧକ୍କା ହେଉଥିବା ଦେଖିବାକୁ ମିଳୁଛି । ଏହି ଦୁଇଟି ହେଲିକପ୍ଟର ହେଉଛି ଫେନେକ୍ ଏମ୍502-6 ଏବଂ ଏଚ୍ଓଏମ୍ ଏମ୍503-3 । ପ୍ରଥମ ହେଲିକପ୍ଟର କ୍ରାସ୍ ହୋଇ ଷ୍ଟାଡିୟମ୍ର ସିଡ଼ି ଉପରେ ଖସି ପଡ଼ିଥିବାବେଳେ ଅନ୍ୟ ହେଲିକପ୍ଟରଟି ସ୍ୱିମିଂ ପୁଲ୍ରେ ପଡ଼ିଥିଲା ।
ମାଲେସିଆ ନୌସେନା ଏହି ଘଟଣା ଉପରେ ବୟାନ ଜାରି କରି କହିଛି ଯେ ସେନାର ୯୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ମେ’ ୩ରୁ ୫ ମଧ୍ୟରେ ହେବାକୁ ଥିବା ସୈନ୍ୟ ପରେଡ୍ର ଅଭ୍ୟାସ ଚାଲିଥିଲା । ଏଥିରେ ହେଲିକପ୍ଟରଗୁଡ଼ିକ ସାମିଲ ହୋଇଥିଲେ । ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ସମସ୍ତ ବ୍ୟକ୍ତି ହେଲିକପ୍ଟରର କ୍ରୁ ମେମ୍ବର ଥିଲେ । ମୃତଦେହଗୁଡ଼ିକୁ ଚିହ୍ନଟ ପାଇଁ ଲୁମୁଟ ଏୟାରବେସ୍ ହସ୍ପିଟାଲ ପଠାଯାଇଛି । ସ୍ଥାନୀୟ ସମୟାନୁସାରେ, ମଙ୍ଗଳବାର ସକାଳ ୯ଟା ୩୨ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା ।
ପ୍ରଶାସନ ଘଟଣାର ତଦନ୍ତ ପାଇଁ ଏକ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛି । କହି ରଖୁଛୁ, ଏହି ଘଟଣା ପରେ ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ହେଲିକପ୍ଟର କ୍ରାସ୍ ଘଟଣାକୁ ନେଇ ଆହୁରି ଚିନ୍ତା ବଢ଼ିଯାଇଛି । ଗତ ମାସରେ ହିଁ ରେସ୍କ୍ୟୁ ଡ୍ରିଲ୍ ସମୟରେ ସେଲାଙ୍ଗୋରର ପୁଲାଉ ଆଙ୍ଗସା ନିକଟରେ ଏକ ହେଲିକପ୍ଟର କ୍ରାସ୍ ହୋଇଥିଲା । ହେଲିକପ୍ଟରଟି ମାଲେସିଆନ୍ ମେରିଟାଇମ୍ ଇନ୍ଫୋର୍ସମେଣ୍ଟ ଏଜେନ୍ସି (ଏମ୍ଏମ୍ଇଏ)ର ଥିଲା । ମାର୍ଚ୍ଚ ୫ରେ ଘଟିଥିବା ଏହି ଦୁର୍ଘଟଣାରେ ପାଇଲଟ୍ଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଗତବର୍ଷ ମଧ୍ୟ ଏଠାରେ ଜରୁରୀ ଅବତରଣ ବେଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଏଥିରେ ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।
BREAKING: 🇲🇾 2 military helicopters crash after mid-air collision in Malaysia, killing all 10 people on board pic.twitter.com/ckiEaqnd4R
— Megatron (@Megatron_ron) April 23, 2024