ପ୍ରଶ୍ନପତ୍ର ତ୍ରୁଟି ମାମଲା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ମିଳିଲା ଫୁଲମାର୍କ

(କେନ୍ୟୁଜ): ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସମାଧାନ । ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ହସ୍ତକ୍ଷେପ ପରେ ସିବିଏସଇ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନେଇ ସମାଧାନ କରାଯାଇଛି । ଏହା ଦ୍ୱାରା ୨୮ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ଗତ ୧୧ ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନ ଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସିବିଏସଇ ଏହାକୁ ଗୁରୁତ୍ୱର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ ଏହି କମିଟି ପରୀକ୍ଷାର ତ୍ରୁଟିକୁ ଅନୁଧ୍ୟାନ କରାଯାଇଥିଲା । ଏହି କମିଟିର ଅନୁଧ୍ୟାନ ରିପୋର୍ଟ ଆଧାରରେ ସିବିଏସ୍‌ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍‌ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.