Below header

ଆଜି ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳର ଜି. ଉଦୟଗିରି, ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ

କନ୍ଧମାଳ(କେନ୍ୟୁଜ): ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ତଳମୁହାଁ ହୋଇଛି ପାରଦ । ଆଜି ସବୁଠୁ ଥଣ୍ଡା ସହର ହୋଇଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ରାତିର ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ୭ ସହରରେ ପାରଦ ୧୦ ଡିଗ୍ରୀରୁ କମ୍‌ ରହିଛି । ସେମିଳିଗୁଡ଼ାରେ ୮, ସୁନ୍ଦରଗଡ଼ ଜିଲ୍ଲା କିରେଅରେ ୯.୫, ଫୁଲବାଣୀରେ ୯.୬, ଦାରିଙ୍ଗିବାଡ଼ି, କୋରାପୁଟ ଓ କେନ୍ଦୁଝର ଜିଲ୍ଲାରେ ୧୦ ଡିଗ୍ରୀ ସେଲସିୟସ୍‌ ଲେଖାଏ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।

ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହୋଇଛି । ଆସନ୍ତା ୪୮ଘଣ୍ଟାରେ ଅଧିକ ଘନୀଭୂତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବନା ରହିଛି । ତେବେ ଅବପାତର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଦକ୍ଷିଣ ଓଡ଼ିଶା ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୧ ଓ ୨୨ ତାରିଖରେ ବର୍ଷା ସମ୍ଭାବନା ରହିଛି । ଏପଟେ ଉପକୂଳ ଓଡ଼ିଶାରେ କୋହଲା ରହିଛି ପାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.