କରୋନା ଯୋଗୁଁ ସ୍ନାନମଣ୍ଡପରେ ଛେରାପହଁରା କରିବେ ନାହିଁ ଗଜପତି ଦିବ୍ୟସିଂହ ଦେବ

ପୁରୀ(କେ ନ୍ୟୁଜ): ଆସନ୍ତାକାଲି ସ୍ନାନ ମଣ୍ଡପରେ ଛେରାପହଁରା କରିବେ ନାହିଁ ଗଜପତି ଦିବ୍ୟସିଂହ ଦେବ। ଗଜପତିଙ୍କ ସ୍ଥାନରେ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କରିବେ । କୋଭିଡ୍‌ କଟକଣା ଯୋଗୁ ଅନୁପସ୍ଥିତ ରହିବେ ଗଜପତି ମହାରାଜ । କହିରଖିବା ଉଚିତ ହେବକି ଗତବର୍ଷ ବି ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରା ପହଁରା କରିଥିଲେ । କାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ କରିବେ ଶ୍ରୀଜୀଉ । ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସ୍ନାନଯାତ୍ରା ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଏନେଇ ସେବାୟତମାନଙ୍କୁ ପାସ୍‌ ବଣ୍ଟନ କରାଯାଇଛି। ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ସହ ପାସ୍‌ ପାଇଥିବା ସେବାୟତ ସାମିଲ ହେବେ।

ଆଜି ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି । ଧାଡିପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । କୋଠ ସୁଆଁସିଆମାନେ ଗତକାଲି ରାତି ୧ଟା ୩୦ରୁ ଯାଇ ରତ୍ନବେଦୀରେ ଚାରମାଳ ବାନ୍ଧିବା କାମ ଶେଷ କରିଛନ୍ତି। ଆଜି ମହାପ୍ରଭୁଙ୍କ ସେନାପଟା ଲାଗି କରାଯାଇଛି। କୋଭିଡ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ରାତିରୁ ଜାରି ହେବ ୧୪୪ ଧାରା । ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଭୋର ୨ଟା ଯାଏ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.