Below header

ଗଜପତି ଜିଲ୍ଲା କ୍ରିକେଟ ସଙ୍ଗଠନ ସମ୍ପାଦକଙ୍କ ନାଁରେ ମନମୁଖୀ କାର୍ଯ୍ୟ ଅଭିଯୋଗ, ଯୋଗ୍ୟ ଖେଳାଳି ବାଦ୍‌ ପଡ଼ିବା ପରେ ଉଠିଲା ବିରୋଧର ସ୍ୱର

ମୋହନା(କେନ୍ୟୁଜ୍):  ଓସିଏ ଦ୍ୱାରା ଅନୁବନ୍ଧିତ ଗଜପତି ଜିଲ୍ଲା କ୍ରିକେଟ ସଙ୍ଗଠନର ସମ୍ପାଦକ ଦେବାଶିଷ ପାଢ଼ୀଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ ଏବଂ ଖେଳାଳି ଚୟନ ରେ ପାତର ଅନ୍ତର ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ଚନ୍ଦ୍ରଗିରି ଅଞ୍ଚଳର ଭିଜନ୍ ୨୦୨୪ ନିମନ୍ତେ ଓସିଏ ପକ୍ଷରୁ ଆୟୋଜନ କରାଯାଇଥିବା ଜିଲ୍ଲା ଲିଗ୍ ମ୍ୟାଚରେ ଅଂଶ ଗ୍ରହଣ କରିଥିବା ଖେଳାଳି ସିଦ୍ଧାର୍ଥ ଶଙ୍କର ସାହୁ। ସିଦ୍ଧାର୍ଥ ଜିଲ୍ଲାର ଜଣେ ପ୍ରତିଭାବାନ ଖେଳାଳି ହୋଇଥିବା ବେଳେ ସେ  ଜିଲ୍ଲା ଲିଗରେ ଭଲ ପ୍ରଦର୍ଶନ କରି କ୍ରିକ୍ ହିରୋ ଆପରେ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଚାରି ନଂ ସ୍ଥାନରେ ଅଛନ୍ତି। ଏହି ଆପ ତାଲିକାକୁ ଓସିଏ ପକ୍ଷରୁ ପ୍ରସ୍ତୁତ କରାଯାଇଛି । କିନ୍ତୁ ଗଜପତି ଜ଼ିଲ୍ଲା ଖେଳାଳି ତାଲିକା ଅନୁଯାୟୀ ଚଳିତ ଜୁଲାଇ ୨୫ ଠାରୁ ଆରମ୍ଭ କରାଯାଇଥିବା ଆନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ସେ ବଞ୍ଚିତ ହୋଇଛନ୍ତି । ତେଣୁ ଏନେଇ ସେ ପ୍ରଶ୍ନ କରିଛନ୍ତି ଯେ ଯେଉଁଠି ଭଲ ପ୍ରଦର୍ଶନ କରିଥିବା ଯୋଗୁଁ ଓସିଏ ତାଙ୍କୁ ମନୋନୀତ କରି ଖେଳାଳି ତାଲିକା ଭୁକ୍ତ କରିଥିଲେ ଏଭଳି ସ୍ଥଳେ ଜିଲ୍ଲା ସଂପାଦକ ତାଙ୍କୁ ତାଲିକାରୁ ବାଦ୍ ଦେଲେ କାହିଁକି?

ସୂଚନା ଯୋଗ୍ୟ ଯେ ଦେବାଶିଷ ପାଢ଼ୀ ଦୀର୍ଘ ୨୦  ବର୍ଷରୁ ଉର୍ଦ୍ଧ ସମୟ ଧରି ଗଜପତି ଜ଼ିଲ୍ଲା କ୍ରିକେଟ ସଙ୍ଗଠନର ବିଭିନ୍ନ ଦାୟିତ୍ୱରେ ରହିଆସୁଛନ୍ତି। ଯେଉଁଠି ଓସିଏ ସିଦ୍ଧାର୍ଥଙ୍କୁ ଚୟନ କରିଛି, ସେଠି ସମ୍ପାଦକ ଶ୍ରୀ ପାଢ଼ୀ ତାଙ୍କୁ ଜ଼ିଲ୍ଲା ତାଲିକାରୁ ବାଦ ଦେଉଛନ୍ତି । ଏଥିରୁ ସ୍ପଷ୍ଟ ଯେ ଜିଲ୍ଲା କ୍ରିକେଟ ସଙ୍ଗଠନରେ ତାଙ୍କର କିଭଳି ପ୍ରଭାବ ରହିଛି । ଓସିଏର ନିୟମ ପ୍ରକାରେ ସିନିୟର ଖେଳାଳି ପ୍ରତିଯୋଗିତାରେ ଭାଗ ନେବାପାଇଁ ନିର୍ଦ୍ଦେଶ ରହିଛି।  କିନ୍ତୁ ଜ଼ିଲ୍ଲା ସମ୍ପାଦକଙ୍କ ଇର୍ଷାପରାୟଣ ତଥା ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଭଲ ଖେଳାଳିଙ୍କୁ ଗଜପତି ଜିଲ୍ଲା ତରଫରୁ ଚୟନ କରାଯାଉନାହିଁ।  ଏନେଇ କ୍ରିକେଟ ଖେଳାଳି ସିଦ୍ଧାର୍ଥ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୀର୍ଘ ବର୍ଷ ଧରି ପଦବୀରେ ରହି ତାର ଦୁରୁପଯୋଗ କରୁଥିବା ସମ୍ପାଦକଙ୍କୁ ପଦବୀରୁ ହଟାଇ ନୂତନ ବ୍ୟକ୍ତିଙ୍କୁ ପଦବୀ ଦେବା ପାଇଁ ଜିଲ୍ଲାର କ୍ରିକେଟ ପ୍ରେମୀ ମତ ରଖିଛନ୍ତି ।

ଏ ନେଇ ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲୁ । ଅନ୍ୟାୟର ଶିକାର ହୋଇଥିବା ଖେଳାଳିଙ୍କ ସହ ସେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ଅତିଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଜିଲ୍ଲା କ୍ରିକେଟ ସଙ୍ଗଠନ ସମ୍ପାଦକ କହିଛନ୍ତି, ବର୍ତ୍ତମାନ ଯୁବ ପ୍ରତିଭାଙ୍କୁ ସୁଯୋଗ ଦିଆଯାଉଛି । ତେଣୁ ସିଦ୍ଧାର୍ଥ ଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.