କାଠକୁ ଖୋଦେଇ କରି ଅରୁଣ ବନାଉଛନ୍ତି ସୁନ୍ଦର ଜିନିଷ, ପାର୍ଲାମେଣ୍ଟ ହାଉସ୍‌ ତିଆରି କରିବାକୁ ରଖିଛନ୍ତି ଲକ୍ଷ୍ୟ 

ଭୁବନେଶ୍ୱର: ନିଖୁଣ କାରିଗରୀର ନମୂନା । ଲାଗୁଛି ଯେମିତି ସତସତିକା ଆଇଫେଲ ଟାଓ୍ଵାର କିମ୍ବା ବିଧାନସଭା ସୌଧ, ଶାନ୍ତିିସ୍ତପ ହେଉ କି ତାଜମହଲ ଛୋଟିଆ ରୂପ ନେଇ ଏଠି ଉଭା ହୋଇଛନ୍ତି । ଯାହାକୁ ବାସ୍ତବ ରୂପ ଦେଇଛନ୍ତି ଏଇ କାରିଗର । ଏ ସମସ୍ତ କଳାକୃତି ହେଉଛି ହିଞ୍ଜିଳିକାଟୁର କାଠ କାରିଗର ଅରୁଣ କୁମାର ସାହୁଙ୍କର । ତାଙ୍କ ହାତର ଯାଦୁରେ କାଠ ପାଇଛି ଏଭଳି ମିନିଏଚର୍‌ର ରୂପ । ଓଡିଶା ବିଧାନସଭା, ଧଉଳି ଶାନ୍ତି ସ୍ତୁପ ,ଇଣ୍ଡିଆ ଗେଟ, ତାଜମହଲ, ପ୍ୟାରିସ ଆଇଫିଲ ଟାୱiରଠୁ ଆରମ୍ଭ କରି ବିଭିନ୍ନ ପ୍ରସିଦ୍ଧ ଐତିହାସିକ ସ୍ମାରକୀକୁ ଚମତ୍କାର ଢଙ୍ଗରେ ଗଢ଼ି ତୋଳିଛନ୍ତ ଅରୁଣ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର କାଠ କାରିଗର ଅରୁଣ କୁମାର ସାହୁ ।
ପିଲାବେଳୁ ସ୍ୱପ୍ନ ଥିଲା ପ୍ୟାରିସର ଆଇଫିଲ୍‌ ଟାଓ୍ଵାର ଥରେ ଦେଖିବା ପାଇଁ । ଆଗ୍ରାର ତାଜମହାଲ ଆଗରେ ଫଟୋ ଉଠାଇବାକୁ । ପୁଣି ଇଜିପ୍ଟର ପିରାମିଡକୁ ବୁଲି ଦେଖିବାର ପ୍ରବଳ ଇଚ୍ଛା ଥିଲା । ହେଲେ ତାହା ସମ୍ଭବ ହେଲା ନାହିଁ । ପାଖରେ ଏତେ ପଇସା ନଥିଲା ଯେ ଏଭଳି ଦୂରନ୍ତ ସ୍ୱପ୍ନକୁ ସେ ସାକାର କରି ପାରିଥାନ୍ତେ । ଘରର ଆର୍ଥକ ପରିସ୍ଥିତ ଭଲ ନଥିଲା ତେଣୁ ଅଧାରୁ ପାଠ ଛାଡିବାକୁ ପଡିଥିଲା ଅରୁଣଙ୍କୁ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ କଣ୍ଟେଇକୋଳି ଗାଁରେ ଅରୁଣଙ୍କ ଘର । ତାଙ୍କ ବାପା ଜଣେ କାଠ କରିଗର । ବାପାଙ୍କ ସହିତ ମିଶି କାଠ କାମ ଅରମ୍ଭ କରିଥିଲେ ଅରୁଣ । ଏବେ ସେହି କାଠକୁ ଖୋଦେଇ କରି ସ୍‌ୃଷ୍ଟି କରିଛନ୍ତି ନିଜ ସ୍ୱପ୍ନର ଜିନିଷ ସବୁ । ଆଜି ତାଙ୍କ ଦ୍ୱାରା ନିର୍ମିତ ତାଜମହଲ, ପିରାମିଡ, ଆଇଫିଲ ଟାଓ୍ଵାର, ଶାନ୍ତି ସ୍ତୁପ, ଓଡିଶା ବିଧାନସଭା, ଇଣ୍ଡିଆ ଗେଟ ଦେଖଣାହାରୀଙ୍କ ଆକର୍ଷଣ ପାଲଟିଛି । ତାଙ୍କ ହାତର ଯାଦୁରେ ସ୍ୱପ୍ନ ନେଇଛି ବାସ୍ତବ ରୂପ । ଭୁବନେଶ୍ୱର ୟୁନିଟ୍‌ -୩ ପ୍ରଦର୍ଶନୀ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅରୁଣଙ୍କ କାରିଗରୀ ଦେଖିବାକୁ ପ୍ରବଳ ଭିଡ ଜମୁଛି ।
ଆଗକୁ ସେ ଏମିତି କାଠରେ ଏକ ପାର୍ଲାମେଣ୍ଟ ହାଉସ୍‌ର ମିନିଏଚର୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୁଣି ଏହି କାଠରେ ବିଶ୍ୱର ସମସ୍ତ ଐତିହ୍ୟସ୍ଥଳୀ ଏବଂ ସପ୍ତାଶ୍ଚଯ୍ୟର୍ର ପ୍ରତିକୃତି ନିର୍ମାଣ କରି ଭୁବନେଶ୍ୱରରେ ଏକ ମ୍ୟୁଜିୟମ୍‌ କରିବାର ସ୍ୱପ୍ନ ଦେଖିଛନ୍ତି ଅରୁଣ ।

ଅରୁନ୍ଧତୀ ମଲ୍ଲିକଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.