ସବୁଜ ମହାନଦୀ ମିଶନ୍

ଭୁବନେଶ୍ବର: ନଦୀ ତିଆରି କରେ ସଭ୍ୟତା। ନଦୀ ତିଆରି କରେ ଜନବସତି। ମହାନଦୀ ଓଡ଼ିଶାର ମା। କାରଣ ରାଜ୍ୟର ମୋଟ୍ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ। ଏଇ ନଦୀ ପାଲଟିଛି ରାଜ୍ୟବାସୀଙ୍କ ଜୀବନ ରେଖା। ହେଲେ ଏଇ ଜୀବନ ରେଖା ଏବେ ବିପଦରେ। ତେବେ ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଲଢ଼େଇ ଜାରି ରଖିଛନ୍ତି। ଏତକି ବେଳେ ମହାନଦୀର ସୁରକ୍ଷା ପାଇଁ ବ୍ୟାପକ ଯୋଜନା ଆରମ୍ଭ କରିଛନ୍ତି ସରକାର। ଯୋଜନା ନାଁ ହେଉଛି ‘ସବୁଜ ମହାନଦୀ ମିଶନ୍’। ଓଡ଼ିଶାର ମହାନଦୀ କୂଳରେ ଥିବା ମୋଟ୍ ୧୫ଟି ଜିଲ୍ଲାର ୧୩୦୩ଟି ଗାଁରେ ୨ କୋଟି ଗଛ ଲଗାଯିବ ଏଇ ଯୋଜନାରେ। ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଭଳି ବ୍ୟାପକ ବୃକ୍ଷରୋପଣ ଦ୍ୱାରା ମହାନଦୀର ଜଳଧାରଣ କ୍ଷମତା ବଢ଼ିବ ଏବଂ ମୃତ୍ତିକା କ୍ଷୟକୁ ମଧ୍ୟ ରୋକି ହେବ। ଏଇ ଲକ୍ଷ୍ୟ ରହିଛି ରାଜ୍ୟ ସରକାରଙ୍କର। କୋଟି କୋଟି ଲୋକଙ୍କୁ ମହାନଦୀ ଦେଇଛି ଜୀବନ ଜୀବିକା। ଚାଷବାସ ଠାରୁ ଆରମ୍ଭ କରି ପିଇବା ପାଣି ଦେଇଛି ଏଇ ନଦୀ। ତେଣୁ ମହାନଦୀର ସୁରକ୍ଷା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର। ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଜ ମହାନଦୀ ମିଶନ୍ କାର୍ୟ୍ୟକ୍ରମରେ ମହାନଦୀ, ଇବ୍ ଓ ତେଲ ନଦୀର ଉଭୟ ପାର୍ଶ୍ୱରେ ଏହି ଦୁଇ କୋଟି ଗଛ ଲଗାଯିବ। ଏଥି ସହିତ ୧୬, ୫୦୦ ହେକ୍ଟର ଜମିରେ ବନୀକରଣ ଏବଂ ୫୦୦ କିଲୋମିଟର ରାସ୍ତା କଡ଼ରେ ବୃକ୍ଷରୋପଣ କରାଯିବ।

ଜନସାଧାରଣଙ୍କ ସହଯୋଗରେ ଜଙ୍ଗଲ ଜମି, ଘରୋଇ ଜମି ଓ ରାଜସ୍ୱ ବିଭାଗ ଅଧୀନରେ ଥିବା ଜମିରେ ବ୍ୟାପକ ବୃକ୍ଷରୋପଣ କରାଯିବ। ୨୦୧୮-୧୯ରେ ସାରା ରାଜ୍ୟରେ ୬୩ ଲକ୍ଷ ବୃକ୍ଷରୋପଣ କରାଯିବାକୁ ଯୋଜନା ରହିଛି। ସେହିପରି ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନଦୀ କୂଳରେ ଏହି ସବୁଜ ଯୋଜନା କାର୍ୟ୍ୟକାରୀ କରିବାକୁ ମଧ୍ୟ ଲକ୍ଷ ରଖା ଯାଇଛି।

Leave A Reply

Your email address will not be published.