ରହସ୍ୟମୟ ଝୁଲନ୍ତା ମନ୍ଦିର ! ଶୂନ୍ୟରେ ଝୁଲୁଛି ଏହାର ସ୍ତମ୍ଭ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଅବସ୍ଥିତ ଥିବା ଏକ ଛୋଟ ଗାଁ ଲେପାକ୍ଷୀ। ଏଠାରେ ଅବସ୍ଥିତ ମନ୍ଦିର ସାରା ଭାରତରେ ଲେପାକ୍ଷୀ ମନ୍ଦିର ନାମରେ ପ୍ରସିଦ୍ଧ। ଏହା ନିଜର ନିଆରା କଳାତ୍ମକ ପ୍ରଦର୍ଶନ ପାଇଁ ବେଶ୍ ଜଣାଶୁଣା। ଏହି ମନ୍ଦିର ପରିସରରେ ଭଗବାନ ଶିବ, ବିଷ୍ଣୁ ଓ ବୀରଭଦ୍ରଙ୍କର ତିନିଟି ମନ୍ଦିର ସ୍ଥାପନ କରାଯାଇଛି। ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିର ୭୦ଟି ସ୍ତମ୍ଭ ଉପରେ ଠିଆ ହୋଇ ରହିଛି। ଯାହା ମଧ୍ୟରୁ ଗୋଟିଏ ସ୍ତମ୍ଭ ମାଟିକୁ ନ ଛୁଇଁ, ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ। ଏହି ଗୋଟିଏ ଝୁଲି ରହିଥିବା ସ୍ତମ୍ଭ ଯୋଗୁ ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର କୁହାଯାଉଛି।

hanging-pillar

ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ପୂର୍ବରୁ ଏହି ସ୍ତମ୍ଭ ମାଟି ସହିତ ଯୋଡା ହୋଇ ରହିଥିଲା। ଥରେ ଜଣେ ବ୍ରିଟିଶ୍ ଇଂଜିନିୟର ଏହି ମନ୍ଦିର ସ୍ତମ୍ଭ ଉପରେ କିପରି ଠିଆ ହୋଇ ରହିଛି ଜାଣିବା ପାଇଁ ସେହି ସ୍ତମ୍ଭକୁ ଜୋର୍ରେ ବାଡ଼େଇ ଦେଇଥିଲେ। ବାସ୍ ସେବେଠାରୁ ହିଁ ସ୍ତମ୍ଭଟି ଝୁଲନ୍ତା ଅବସ୍ଥାରେ ରହିଛି ବୋଲି କୁହାଯାଏ। ଏଠାରେ ସବୁବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁମାନଙ୍କ କହିବା ଅନୁଯାୟୀ ଏହି ସ୍ତମ୍ଭ ତଳେ କପଡ଼ା ବିଛାଇ ପୁଣି କାଢ଼ି ଆଣିବା ଫଳରେ ସୁଖ ସମୃଦ୍ଧି ବଢ଼ିଥାଏ।

ଖାଲି ସେତିକି ନୁହେଁ ଏହି ମନ୍ଦିରର ଉପରି ଭାଗରେ ଏକ ଭବ୍ୟ ଭିତ୍ତି ଚିତ୍ର ରହିଛି। ଏହାର ମନୋରମ ଦୃଶ୍ୟ ଦେଖିବାକୁ ସବୁବେଳେ ଦର୍ଶକଙ୍କ ଭିଡ଼ ଲାଗି ରହିଥାଏ। ମନ୍ଦିର ପରିସରରେ ଥିବା ଚଟାଣ ଉପରେ ଭକ୍ତ କନ୍ନାପାର କାହାଣୀ ଅତି ସୁନ୍ଦର ଭାବେ ଖୋଦିତ ହୋଇ ରହିଛି। ଏଠାରେ ଏଭଳି କିଛି ଥାଳିର ଚିହ୍ନ ରହିଛି ଯାହାକୁ ଅନେକ ଲୋକ ସେତେବେଳେ ସମୟ ଜାଣିବା ପାଇଁ ବ୍ୟବହାର କରୁଥିଲେ। ମନ୍ଦିରର ଉପର ପାର୍ଶ୍ୱରେ ଶିବଙ୍କର ଏକ ସୁନ୍ଦର ଚିତ୍ର ଅଙ୍କା ହୋଇ ରହିଛି। ଯାହା ମନ୍ଦିରର ଶୋଭାକୁ ଦୁଇଗୁଣା କରିଥାଏ।

Leave A Reply

Your email address will not be published.