ଶୀତରେ ବଢୁଛି ତାତି, ପୁରୀରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ଶୀତ ଉଭାନ୍‌ । ପୌଷରେ ଗ୍ରୀଷ୍ମ ଉଷ୍ଣତା ଅନୁଭୂତ । ଡିସେମ୍ବର ସରିବାକୁ ଯାଉଥିବା ବେଳେ ଶୀତ ନାହିଁ । କମ୍ବଳ ଘୋଡ଼ାଇ ହେବା ସମୟରେ ଫ୍ୟାନ୍‌ ଦରକାର ପଡୁଛି । ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ପୁରୀରେ ସର୍ବାଧିକ ୨୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୨୩.୨, ତାନ୍ଦବାଲିରେ ୨୨, ଗୋପାଳପୁରରେ ୨୧.୫, ଖୋର୍ଦ୍ଧାରେ ରାତିର ତାପମାତ୍ରା ରେକର୍ଡ ହୋଇଛି ୨୧ ଡିଗ୍ରୀ ସେଲସିୟସ୍‌ । ଜଗତସିଂହପୁରରେ ୨୦.୧, ମାଲକାନଗିରିରେ ୨୦, କଟକ ଓ ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ସେଲସିୟସ୍‌ ଲେଖାଏ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।

ଡିସେମ୍ବରର ପ୍ରଥମ ୨୭ ଦିନରେ ମାତ୍ର ୭ ଦିନ ଥଣ୍ଡା ଅନୁଭୂତ ହୋଇଛି । ଅବଶିଷ୍ଟ ୧୫ ଦିନ ଥିଲା ଉଷ୍ଣ ରାତି । ଦିନରେ ବାହାରକୁ ବାହାରିଲେ ବୈଶାଖ ମାସ ଭଳି ଲାଗୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ମେଡିଟେରିଆନ ସାଗରରେ ତୀବ୍ର ପଶ୍ଚିମା ଝଡ଼ ସୃଷ୍ଟି ନହେବା ଓ ରାଜ୍ୟରେ ଗୁରୁଚାପ ବଳୟର ନିଷ୍କ୍ରିୟତା ଓ ସାମୁଦ୍ରିକ ପବନର ପ୍ରବାହ ଯୋଗୁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହୋଇ ନାହିଁ । ଏଭଳି ପ୍ରକ୍ରିୟା ଜାରି ରହିଲେ ପରପୀଢୀ ଆଉ ଶୀତ ଅନୁଭୂତ କରିପାରିବେ ନାହିଁ ବୋଲି ଚିନ୍ତା ପ୍ରକଟ କଲେଣି ପାଣିପାଗ ବିଶେଷଜ୍ଞ । ଜଳବାୟୁରେ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତିତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.