Below header

ଲସ୍କର ଆତଙ୍କବାଦୀଙ୍କ ଓଡ଼ିଶା ଲିଙ୍କ୍ : NIA କବଜାରେ କେନ୍ଦ୍ରାପଡାର ହବିବୁର୍ ରେହମାନ୍

ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି- ଏନ୍‌ଆଇଏ ଜାଲରେ ଓଡ଼ିଶାର ଯୁବକ । ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ । ସାଉଦି ଆରବରୁ ଫେରିବା ସମୟରେ ଦିଲ୍ଲୀ ଏୟାର ପୋର୍ଟରୁ ଗିରଫ ହୋଇଛି ହବିବୁର ରେହମାନ । ତା’ ଘର କେନ୍ଦ୍ରାପଡ଼ା । ସେ ରିୟାଦରେ ରହୁଥିଲା । ତାକୁ ଗିରଫ କରାଯାଇଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍‌କର -ଏ -ତୋଏବାର ହ୍ୟାଣ୍ଡଲର୍‌ ଭାବେ ହବିବୁର କାମ କରୁଥିଲା । ୨୦୦୭ରେ ଗିରଫ ହୋଇଥିବା ଆତଙ୍କବାଦୀ ଶୈଖ ଅବଦୁଲ ନଇମ୍‌ ପାଇଁ କାମ କରୁଥିଲା ଓଡ଼ିଶାର ହବିବୁର ।

୨୦୧୪ରେ କୋଲକାତାରୁ ନଇମ୍‌କୁ ମହାରାଷ୍ଟ୍ର ଅଣାଯାଉଥିବା ବେଳେ ସେ ଫେରାର ହୋଇଯାଇଥିଲା । ୨୦୧୭ରେ ପୁଣି ନଇମ୍‌କୁ ଗିରଫ କରିଥିଲା ଏନ୍‌ଆଇଏ । ସେ ସମୟରେ ୧୦ ଜଣଙ୍କ ନାଁରେ ଚାର୍ଜସିଟ୍‌ ହୋଇଥିଲା। ସେଥିରେ ଥିଲା ହବିବୁର ରେହମାନର ନାଁ । ଏନ୍‌ଆଇଏ ଚାର୍ଜିସିଟ୍‌ ମୁତାବକ, ଭାରତରେ ବଡ଼ଧରଣର ଆକ୍ରମଣ ପାଇଁ ନଇମ୍‌ ସହ ହବିବୁର ରେହମାନ ଷଡ଼ୟନ୍ତ୍ର କରିଥିଲା । ଭାରତର କେଉଁ ସ୍ଥାନରେ ଆକ୍ରମଣ କରାଯିବ, ସେ ସ୍ଥାନ ଚିହ୍ନଟ କରୁଥିଲା ନଇମ। ଏଥିଲାଗି ଜାମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡ଼ ଆଦି ନଇମ୍‌ ବୁଲିଥିଲା । ସେ ଯେଉଁ ଯେଉଁ ସ୍ଥାନକୁ ଯାଉଥିଲା, ସେଠାରେ ଲୁଚିବା ପାଇଁ ସ୍ଥାନ ଯୋଗାଡ଼ କରୁଥିଲା ହବିବୁର । ଏହାସହ ଟଙ୍କା ଯୋଗାଡ କରୁଥିଲା ।

ହବିବୁର ପୂର୍ବରୁ ଓଡ଼ିଶାରୁ ଗିରଫ ହୋଇଥିଲା ଆଉ ଜଣେ ଆତଙ୍କବାଦୀ। ୨୦୧୫ ଡିସେମ୍ବର ୧୬ରେ କଟକ ଜଗତପୁରରୁ ଗିରଫ ହୋଇଥିଲା ଅବଦୁଲ୍‌ ରେହମାନ । ସେ ଏବେ ଏନ୍‌ଆଇଏ କବ୍‌ଜାରେ ଅଛି । ଅଲ୍‌କାଏଦା ଇନ୍‌ ଇଣ୍ଡିଆନ ସବ୍‌ କଣ୍ଟିନେଣ୍ଟ, AIQS ଲିଙ୍କ୍‌ରେ ଅବଦୁଲ୍‌ ଗିରଫ ହୋଇଥିଲା। ଏହାପରେ ୨୦୧୬ ଫେବ୍ରୁଆରୀରେ ରାଉରକେଲାରୁ ୫ ସିମି ଆତଙ୍କବାଦୀ ଗିରଫ ହୋଇଥିଲେ। ଏମାନଙ୍କୁ ନିଆଯାଇଥିଲା ମଧ୍ୟପ୍ରଦେଶ। ସେଠାରେ ଜେଲ୍‌ରୁ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ ଗୁଳିରେ ୪ ସିମି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଏଆଇକ୍ୟୁଏସ୍‌, ପରେ ସିମି ଆତଙ୍କବାଦୀ ଧରାପଡିଥିଲେ। ଏବେ ଲସ୍‌କର -ଏ-ତୋଏବା ଲିଙ୍କ୍‌ ଅଭିଯୋଗରେ ହବିବୁରକୁ ଗିରଫ କରାଯାଇଛି।

ଆତଙ୍କବାଦୀଙ୍କ ଓଡ଼ିଶା ଲିଙ୍କ୍‌ ନେଇ ଖୋଳତାଡ଼ କରାଯିବ । ଲସ୍କର ଆତଙ୍କବାଦୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଗିରଫ ହେବା ଘଟଣାରେ ପୋଲିସ ଡିଜି ଇନଚାର୍ଜ ତଥା ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏହା କହିଛନ୍ତି । ଏନଆଇଏ ଚାହିଁଲେ ତଦନ୍ତରେ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରିବ । ଏନ୍‌ଆଇଏ ସହିତ ଓଡ଼ିଶା ଏସ୍‌ଟିଏଫ୍‌ ଯୋଗାଯୋଗରେ ଅଛି । ଯାହା ତଥ୍ୟ ମାଗିବେ, ଦିଆଯିବ ବୋଲି ସତ୍ୟଜିତ୍‌ ମହାନ୍ତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.