Below header

ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଖାଇବାକୁ ନଦେବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

କରଞ୍ଜିଆ(କେନ୍ୟୁଜ୍): ଗତ ଅକ୍ଟୋବର ୨୩ରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଖାଇବାକୁ ନ ପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ କାନ୍ଦିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପିଲାଙ୍କ କାନ୍ଦ ଦେଖି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା । ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ଏସ ଏସ ଡି ଛାତ୍ରୀ ନିବାସ ହଷ୍ଟେଲରେ।

ତେବେ ଏହି ଘଟଣାରେ ଗତକାଲି ମୟୁରଭଞ୍ଜ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷୟତ୍ରୀ ଲୁମେଶ୍ୱରୀ ନାଏକଙ୍କୁ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି। କାର୍ଯ୍ୟାଳୟର ପତ୍ର ସଂଖ୍ୟା ୨୮୮୧ ତା ୧୫ ରିଖ ଦିନ ନିର୍ଦେଶନାମା ଜାରି କରାଯାଇଛି। ନିଲମ୍ବିତ ପ୍ରଧାନ ଶିକ୍ଷୟତ୍ରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ଏସ ଏସ ଡି ଛାତ୍ରୀ ନିବାସ ଦାୟିତ୍ୱ ତୁଲାଉ ଥିଲେ।

ସୂଚନା ଥାଉକି, ଏହି ଠାକୁରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ଭୋକ ଉପାସରେ ଥିବା ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ୧ କିମି ଦୂର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ଦିନ ରବିବାର ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀମାନେ ବ୍ଲକ ସମ୍ମୁଖରେ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ହଷ୍ଟେଲରୁ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିବା ସମସ୍ତ ଛାତ୍ରୀ ୪ ର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ପର୍ଯ୍ୟନ୍ତ ଥିଲେ । ଭୋକରେ ଥିବା ପିଲା ମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ। ଖବର ପାଇ ସ୍ଥାନୀୟ ଏବିଓ,ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ବ୍ଲକ ପରିସରରେ ଥିବା ଛାତ୍ରୀ ମାନଙ୍କୁ ହଟେଲରୁ ଆଣି ଖାଦ୍ୟ ଦେଇଥିଲେ । ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀ ମାନେ ଅଭିଯୋଗ କରିଥିଲେ ।

ଏହାର କିଛି ଦିନ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ସମୁଖରେ ବିରାଟ ରାଲି ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବାସିନ୍ଦା । ବ୍ଲକ ସମ୍ମୁଖରେ ଛାତ୍ରୀମାନେ କାନ୍ଦିବା ଘଟଣାରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ବିଦ୍ୟାଳୟ ପହଁଚି ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାମ୍ବାଦିକ ମାନକୁ ସୂଚନା ଦେଇଥିଲେ । ତେବେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବନ ପରେ ଏହି ଦାୟିତ୍ୱ ରେ ବର୍ତ୍ତମାନ ଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡାଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥି ସହିତ ଆଉ ତିନି ଜଣକୁ ବିଦ୍ୟାଳୟରୁ ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ଠାକୁରମୁଣ୍ଡା ବିଇଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.