Below header

ଖରାରେ ସିଝୁଛି ସାରା ଓଡିଶା, ଆହୁରି ୩ ଦିନ ଯାଏଁ ଲାଗି ରହିବ ଗରମ

ଖରାରେ ସିଝୁଛି ସାରା ଓଡିଶା । ଆସନ୍ତା ୧୨ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୨ ଟି ସହର । ବାତ୍ୟା ଫନି ପରେ ଏବେ ରାଜ୍ୟରେ ଖେଳି ଯାଇଛି ଗ୍ରୀଷ୍ମ ଲହରୀ । ବାତ୍ୟା ପ୍ରଭାବରେ ହଜାର ହଜାର ଗଛ ଉପୁଡି ଯାଇଥିବା କାରଣରୁ ଗ୍ରୀଷ୍ମ ପ୍ରଭାବ ଅଧିକ ମାତ୍ରାରେ ଜଣା ପଡୁଛି । ପାଣିପାଗ ବିଭାଗ କହିଛି, ଏଭଳି ଗରମ ଆହୁରି ୩ ଦିନ ଯାଏଁ ଲାଗି ରହିବ ।

ଗତକାଲି ଟିଟିଲାଗଡରେ ସର୍ବାଧିକ ୪୫ ଦଶମିକ ୫ ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା କମ୍ ରହିଥିଲେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରବଳ ଗରମରେ ହେଉଛନ୍ତି ଛଟପଟ ଲୋକ । ଦିନ ୧୧ଟାରୁ ଦୋକାନ ବଜାର ସବୁ ବନ୍ଦ ହୋଇଯାଉଛି।

ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ତାତି ଅଧିକ। ଉତ୍ତର ପଶ୍ଚିମ ଭାରତରୁ ବହୁଛି ଗରମ ପବନ। ଫଳରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର,ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି । ତାପମାତ୍ର ୪୦ରୁ ୪୫ ରହୁଛି। ଏ ଅଂଚଳ ଗୁଡିକରେ ଆହୁରି ୨ ଦିନ ରହିବ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଅପେକ୍ଷା ଉପକୂଳ ତାମପାତ୍ର ଅପେକ୍ଷାକୃତ କମ। କିନ୍ତୁ ଏଠାରେ ଗୁଳୁଗୁଳି ଅଧିକ। ଫନି ଯିବା ପରେ ଏଠାରେ ଜଳୀୟ ବାଷ୍ପର ପରିମାଣ ଅଧିକ ରହିଛି। ଆର୍ଦ୍ରତା ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ହେଉଛି । ଦୁଇ ତିନି ଦିନ ପର୍ଯ୍ୟନ୍ତ ଏ ଯନ୍ତ୍ରଣାରୁ ମୁକ୍ତି ମୁଳିବା ସମ୍ଭାବନା କ୍ଷୀଣ।

ସେପଟେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି ଓ କନ୍ଧମାଳରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଦୁଇ ଦିନ ପରେ ରାଜ୍ୟରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.