ସାବଧାନ୍! ସନ୍ଧ୍ଯା ହେଲେ ଆସୁଛନ୍ତି ହେଟା ବାଘ, ଗାଁରେ ପଡୁଛି ତାଟି କବାଟ
ମାହାଙ୍ଗା(କେନ୍ୟୁଜ୍): ବିଲବାଡ଼ିରେ କାମ କଲାବେଳେ ହେଉ କିମ୍ବା ରାସ୍ତା ଘାଟରେ ଯିବା ଆସିବା ବେଳ ହେଉ ହଠାତ୍ ବାହାରୁଛନ୍ତି ହେଟାବାଘ। ହେଟାବାଘ ଆକ୍ରମଣରେ ୭ରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସିତ ହୋଇ ଫେରିଲେଣି। ସନ୍ଧ୍ଯା ହେଲେ ହିଁ ଘାରୁଛି ବାଘର ଭୟ। ପ୍ରତିଦିନ ତିନି ଚାରୋଟି ହେଟା ବାଘ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। ସାଧରାଣ ଲୋକେ ଏନେଇ ସ୍ଥାନୀୟ ବନ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଜଣାଇଲେଣି। ବାଘ ଖୋଜା ଚାଲିଛି। ହେଲେ ବନ ବିଭାଗ ବାଘର ଟେର ପାଉନଥିବା ବେଳେ ସାଧରାଣ ଲୋକେ ଭୟ ଓ ଆତଙ୍କ ଭିତରେ ରହୁଛନ୍ତି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୁଳବସନ୍ତରେ ଦେଖିବାକୁ ମିଳିଛି ଏହି ଘଟଣା।
ଦିନ ହେଉକି ରାତି, ସବୁବେଳେ ମନରେ ଭୟ । କିଏ ଜାଣେ କେତେବେଳେ ହେଟା ବାଘ ଆକ୍ରମଣ କରିବ। ସେଇଥି ପାଇଁ ଗାଁ ଲୋକେ ଯେଉଁଠି ରହୁଛନ୍ତି ଏକାଠି । କାରଣ ଏକା ଏକା ହୋଇଗଲେ ବାଘ ଆକ୍ରମଣ କରିବାର ଅଧିକ ସମ୍ଭାବନା। ସବୁଠୁ ଅଧିକ ବିପଦ ହେଉଛି ସାନସାନ ପିଲାମାନଙ୍କ ପାଇଁ। ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ଗୃହ ପାଳିତ ପଶୁ ପକ୍ଷୀମାନଙ୍କ ପାଇଁ ସବୁବେଳେ ବିପଦ। ରାତି ଅନ୍ଧାର ହେଲେ ଗାଁରେ ତାଟି କବାଟ ପଡେ। ହେଟା ମାନଙ୍କ ଆସିବା ଶବ୍ଦ ଶୁଭେ। ସକାଳ ହେଲେ ସେମାନଙ୍କ ପାଦ ଚିହ୍ନ ମିଳେ।
ବନ ବିଭାଗର ସୂଚନା ଅନୁଯାୟୀ ବଇରୀ ରେଞ୍ଜ ଅଞ୍ଚଳରୁ ତିନି ଚାରୋଟି ହେଟା ବାଘ କିଛି ଦିନ ହେବ ଏହି ଅଞ୍ଚଳକୁ ଆସୁଛନ୍ତି। ବାରମ୍ବାର ଆକ୍ରମଣ କରି ହେଟା ମାନେ ଲୁଚିଯିବାରେ ସଫଳ ହେଉଛନ୍ତି। ଗତ ବର୍ଷ ମଧ୍ୟ କୁହୁଣ୍ଡା, ମୂଳବସନ୍ତ ଆଦି ଅଞ୍ଚଳରେ ହେଟା ବାଘ ଆତଙ୍କ କରିଥିଲା । ଗତ ବର୍ଷ ମଧ୍ୟ ବଇରୀ ବନ ବିଭାଗର କର୍ମଚାରୀ ମାନେ ଆସି ଜଗିଥିଲେ । ହେଲେ ହେଟାକୁ ଠାବ କରିବାରେ ବିଫଳ ହୋଇଥିଲେ ।
ତେବେ ଚଳିତ ବର୍ଷ ବନ କର୍ମଚାରୀ ଦିନରାତି ହେଟାକୁ ଠାବ କରିବା ପାଇଁ ଚେଷ୍ଟା କରିବା ସହ ସାଧରାଣ ଲୋକଙ୍କୁ ସତର୍କ କରୁଥିବା କହିଛନ୍ତି। ଏନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଜଣାଇଥିବା ମଧ୍ୟ କହିଛନ୍ତି। ତେବେ ଖୁବ ଶୀଘ୍ର ଏହି ହେଟା ମାନଙ୍କୁ ଠାବ କରି ସେମାନଙ୍କୁ ଜଙ୍ଗଲ ଆଡ଼କୁ ଘଉଡାଇବା ପାଇଁ ଦାବି ହୋଇଛି।