ଆଜି ବିଶ୍ୱ ପରିବେଶ ଦିବସ, ଚଳିତ ବର୍ଷର ଥିମ୍‌ ରହିଛି ‘Only One Earth’

ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ୍‌ ମାସ ୫ ତାରିଖକୁ ସାରା ବିଶ୍ୱରେ ପରିବେଶ ଦିବସ ଭାବେ ପାଳନ କରାଯାଏ। ପରିବେଶର ସୁରକ୍ଷା କରିବା ତଥା ଗଛ ଲଗାଇବା, ପ୍ରଦୂଷଣ କମ୍‌ କରିବା, ଜଳ ନଷ୍ଟ ନ କରିବା ଆଦି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ସାରା ସୃଷ୍ଟି ପ୍ରକୃତି ଓ ପରିବେଶ ଉପରେ ନିର୍ଭର କରେ। ବଞ୍ଚିବା ପାଇଁ ଯେଉଁ ପାଣି, ପବନ, ଖାଦ୍ୟ ଆଦି ଆବଶ୍ୟକ; ତାହା ଆମକୁ କେବଳ ପରିବେଶରୁ ହିଁ ମିଳେ। ପରିବେଶ ବିନା ସୃଷ୍ଟିର ପରିକଳ୍ପନା କରିବା ଅସମ୍ଭବ। ଆମ ଆଖପାଖର ବାତାବରଣ ଗଛ, ଲତା, ନଦୀ, ଜଙ୍ଗଲ, ମାଟି ଓ ପାହାଡ଼ ଆଦିରେ ଘେରି ରହିଛି। ଏହି ପ୍ରକୃତି ଆମକୁ ଅନେକ କିଛି ପ୍ରଦାନ କରିଥାଏ।

ଗଛଟିଏ ନଥିଲେ ଆମେ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ ଅମ୍ଳଜାନ ପାଇବା ନାହିଁ। ଫଳରେ ବଞ୍ଚିପାରିବା ନାହିଁ। ସେହିଭଳି ଖାଦ୍ୟ ଶସ୍ୟ ବିନା ବଞ୍ଚି ରହିବା ଅସମ୍ଭବ। ଏସବୁ ଆବଶ୍ୟକୀୟ ଜିନିଷ ଆମକୁ ପୃଥିବୀ ପୃଷ୍ଠରୁ ବା ପ୍ରକୃତିରୁ ମିଳେ। ଏଣୁ ପ୍ରକୃତିର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ପରିବେଶର ସୁରକ୍ଷା କରି ଗଛ ଲତାକୁ ବଞ୍ଚାଇ ରଖିବାକୁ ଆଜିର ଦିନରେ ଲୋକଙ୍କୁ ସଚେତନ କରାଯାଏ।

ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ଥିମ୍‌ ରହିଛି ଓନ୍‌ଲି ଓ୍ଵାନ୍‌ ଆର୍ଥ। ଅର୍ଥାତ୍‌ କେବଳ ଗୋଟିଏ ପୃଥିବୀ। ଏହି ଥିମ୍‌ର ଅର୍ଥ ହେଉଛି, ଆମ ପାଖରେ କେବଳ ଗୋଟିଏ ହିଁ ପୃଥିବୀ ଅଛି, ଯାହାର ଯତ୍ନ ନେବା ନିହାତି ଆବଶ୍ୟକ। ଯଦି ପୃଥିବୀର ଠିକ୍‌ ଭାବେ ଯତ୍ନ ନ ନିଆଯାଏ ତେବେ ଆମ ପାଖେ ବସ ବାସ କରିବାକୁ ଆଉ କୌଣସି ବିକଳ୍ପ ନାହିଁ। ପୃଥିବୀ ବିନା ଜୀବଜଗତର କୌଣସି ଅସ୍ତିତ୍ୱ ରହିବ ନାହିଁ। ଏଣୁ ଏହି ପୃଥିବୀର ଯତ୍ନ ନେବା ଆମ ଦାୟିତ୍ୱ।

ବିଶ୍ୱ ପରିବେଶ ଦିବସରେ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଲୋକଙ୍କୁ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ସବୁବେଳେ ଆଗଭର ରହିବାକୁ ପରାମର୍ଶ ଦିଆଯାଏ। ଆଜିର ଦିନରେ ଅନେକ ଲୋକ ଗଛ ଟିଏ ମଧ୍ୟ ଲଗାଇ ସାରା ଆୟୁଷ ତାହାର ଯତ୍ନ ନେବାକୁ କଥା ଦେଇଥାନ୍ତି।

Also Read: ଜାଣନ୍ତୁ, ପୂରା ସପ୍ତାହ କେମିତି କଟିବ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.