ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପୁଣିଥରେ କରୋନାରେ ଆକ୍ରାନ୍ତ; ଦେଶରେ ଆଜି ୪,୨୭୦ ନୂଆ କେସ୍
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ପୁଣିଥରେ କରେନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଫଡନାଭିସ୍ କହିଛନ୍ତି ଯେ ସେ କରୋନା ପିଜିଟିଭ ବାହାରିଛନ୍ତି ଏବଂ ବର୍ତ୍ତମାନ ହୋମ୍ ଆଇସୋଲେସନରେ ଅଛନ୍ତି। ଡାକ୍ତରଙ୍କ ହେପାଜତରେ ତାଙ୍କର ଚିକିତ୍ସା ଚାଲିଛି।
ଏଥି ସହିତ ଫଡନାଭିସ୍ ଅପିଲ୍ କରିଛନ୍ତି କି, ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜର କରୋନା ଯାଞ୍ଚ କରେଇ ନିଅନ୍ତୁ। କହି ରଖୁଛୁ ଯେ ଏଥି ପୂର୍ବରୁ ଦେବେନ୍ଦ୍ର ଫଡନାଭିସ୍ ୨୦୨୦, ଅକ୍ଟୋବରରେ କରୋନାର ଶିକାର ହୋଇଥିଲେ।
ଅନ୍ୟପକ୍ଷରେ ଦେଶରେ ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ରୋଗୀଙ୍କ ସଂଖ୍ୟା ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ୩ ଦିନ ହେବ ଦୈନିକ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ଭିତରେ ୪,୨୭୦ ନୂଆ ମାମଲା ସାମ୍ନାକୁ ଆସିଛି। ଯେତେବେଳେ କି, ଦିନକ ପୂର୍ବରୁ ୩,୯୬୨ ମାମଲା ରେକର୍ଡ ହୋଇଥିଲା। ସେହିପରି ଶୁକ୍ରବାର ୪,୦୪୧ ନୂଆ ମାମଲା ଆସିଥିଲା।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଦେଶରେ ବର୍ତ୍ତମାନ ୨୪,୦୫୨ ସକ୍ରିୟ ରୋଗୀ ଅଛନ୍ତି। ଶନିବାର ତୁଳନାରେ ରୋଗୀ ସଂଖ୍ୟା ୨ ହଜାର ବୃଦ୍ଧି ପାଇଛି। ତଥ୍ୟ ମୁତାବକ, ଗତ ୨୪ ଘଣ୍ଟାରେ ୨,୬୧୯ ରୋଗୀ ଡିସ୍ଚାର୍ଜ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ଘଟିଛି।