Below header

ତାତି ଯୋଗୁଁ ଅନେକ ପ୍ରକାର ରୋଗ ସୃଷ୍ଟି ହୁଏ, କେମିତି ସତର୍କ ରହିବେ ଜାଣନ୍ତୁ

ଏ ଖରା ତ ମାରି ଦେବ । ମୁହଁ ପୋଡ଼ି ପକାଉଛି, ଦେହ କଣ ହେଇ ଯାଉଛି । ଏଥିରେ କଣ କାମ କରିବ ? ଏମିତି କଥାବାର୍ତ୍ତା ହେଉଥିଲେ ଭୁବନେଶ୍ୱରର ଜୟଦେବ ବିହାର ବସ୍‌ ଷ୍ଟପ୍‌ରେ ଠିଆ ହୋଇଥିବା ଦୁଇଜଣ ବ୍ୟକ୍ତି । ସକାଳ ୭ଟାରୁ ଘର ସବୁ ତାତି ଯାଉଛି । ତା ପରେ ବହୁଛି ଝାଞ୍ଜି ପବନ । ଏଥିରେ ଅଂଶୁଘାତ ବା ସନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଛି । ତେଣୁ କେନ୍ୟୁଜ୍‌ ତରଫରୁ କିଛି ପରାମର୍ଶ ଦେଉଛୁ, ଯେମିତି ଆପଣମାନେ ଏହାକୁ ନେଇ ସତର୍କ ରହିବେ । କାରଣ ଅଜାଣତରେ ଆମେ ଏମିତି କିଛି ଭୁଲ କରି ବସିବୁ ଯେ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ଅଥବା ଜୀବନ ଯିବାର ଭୟ ସୃଷ୍ଟି ହେବ ।

ପ୍ରଥମେ ଆପଣମାନେ ଚେଷ୍ଟା କରନ୍ତୁ କି ଯାହା ବି କାମ ରହିଛି ତାକୁ ସକାଳ ୧୦ଟା ଭିତରେ କିମ୍ବା ଅପରାହ୍ନ ୪ଟା ପରେ କରନ୍ତୁ । ଦିନ ୧୧ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରେ କିମ୍ବା ବାହାରେ ସବୁଠି ସତର୍କ ରହିବାକୁ ହେବ । କାରଣ ତାତି ସିନା ଦେହକୁ କାଟେ ହେଲେ ଦେହ ଭିତରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରେ ତାହା ସମସ୍ତଙ୍କୁ ଅନୁଭବ ହୁଏ ନାହିଁ । ବିଶେଷ କରି ବୟସ୍କ, ପିଲା ଏବଂ ରୋଗୀ ଘରୁ ବାହାରିବା ଉଚିତ ନୁହେଁ । ଯଦିବି କେହି ଜରୁରୀ କାମରେ ପଦାକୁ ଆସିଛନ୍ତି ତେବେ ସେମାନେ ଛାଇ ଜାଗା ଦେଖି ବିଶ୍ରାମ ନେବା ଉଚିତ । ସାଙ୍ଗରେ ସବୁ ବେଳେ ପାଣି କିମ୍ବା ଗ୍ଲୁକୋଜ ଆଦି ରଖିବେ ।

କଣ କରିବା ଦରକାର :

ଖରା ତାତିରେ ବେଳେ ବେଳେ ନିଦୁଆ ନିଦୁଆ ଲାଗେ । ଏହା ଅଂଶୁଘାତର ଏକ ସୂଚନା । କେହି କେହି ମୂର୍ଚ୍ଛା ବି ହୋଇ ଯାଆନ୍ତି । ତେଣୁ ଏ ସ୍ଥିତିରେ ଗୋଟିଏ ଥଣ୍ଡା ଜାଗାରେ ବିଶ୍ରାମ ନିଅନ୍ତୁ । ଗୋଡ଼ ଦୁଇଟିକୁ ଉପରକୁ ରଖନ୍ତୁ ଏବଂ ଅଧିକ ପାଣି ପିଅନ୍ତୁ ଯେମିତି ଅଳସୁଆମୀ ଦୂରେଇ ଯିବ ।

ଭୀଷଣ ଗରମରେ ବେଳେ ବେଳେ ଦେହର ମାଂସପେଶୀ ଟାଣି ଧରେ । ପେଟ ଓ ଛାତି ତଥା ଗୋଡ଼ ମାଂସପେଶୀରେ ଯନ୍ତ୍ରଣା ହୁଏ ଏବଂ ଦେହ ଅତ୍ୟନ୍ତ ଦୁର୍ବଳ ହୋଇଯାଏ । ତେବେ ଆପଣ ଏହି ସମୟରେ ଥଣ୍ଡା ସ୍ଥାନରେ ବିଶ୍ରାମ ନେଇ ସର୍ବତ ଆଦି ପ୍ରଚୁର ପରିମାଣରେ ପିଅନ୍ତୁ । ଏଭଳି ସ୍ଥିତିରେ କୌଣସି ନିଶାଦ୍ରବ୍ୟ ଖାଆନ୍ତୁ ନାହିଁ କି କଫିନ୍‌ ଥିବା ଜିନିଷ ନିଅନ୍ତୁ ନାହିଁ ।

ଅନେକ ସମୟରେ ଝାଳ ବହି ଦେହ ଅସୁସ୍ଥ ଲାଗେ । ଦେହରୁ ଜଳୀୟ ଅଂଶ କମି ଗଲେ ଏଭଳି ହୁଏ । ତେଣୁ ଏଥିପ୍ରତି ସତର୍କ ରହି ପ୍ରଚୁର ପରିମାଣରେ ପାଣି, ଓଆରଏସ୍‌, ପଇଡ଼ ପାଣି, ଆଖୁ ରସ, ଜୁସ୍‌ ଏବଂ ଲେମ୍ବୁ ସର୍ବତ ଆଦି ପିଅନ୍ତୁ । ଆଉ ଯଦି ଏସବୁଥିରେ ଅସୁସ୍ଥତା କମ୍‌ ହେଉ ନାହିଁ ତେବେ ତୁରନ୍ତ ଡାକ୍ତରଖାନାକୁ ଯାଆନ୍ତୁ ।
ଯଦି ଆପଣଙ୍କ ଘର ଖରାରେ ତାତି ଯାଉଛି ଏବଂ ଦିନ ବେଳା ଘରେ ରହିବା କଷ୍ଟକର ହେଉଛି ତେବେ ବ୍ୟବସ୍ଥା କରି ଅନ୍ୟ କୌଣସି ଥଣ୍ଡା ଜାଗାରେ ସମୟ କଟାନ୍ତୁ । ଯେମିତିକି ଦିନ ବେଳେ କୌଣସି ଲାଇବ୍ରେରୀ ଯାଇ ବହି ପଢନ୍ତୁ, ମଲ ଯାଇ କିଣାକିଣି କରନ୍ତୁ ଅଥବା ସିନେମା ଦେଖନ୍ତୁ । ଯଦି ଏସବୁ ସୁବିଧା ନାହିଁ ତେବେ କୌଣସି ବନ୍ଧୁଙ୍କ ଘରକୁ ଚାଲି ଯାଆନ୍ତୁ । ବାହାରକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରନ୍ତୁ ନାହିଁ ।

ସେହିପରି ବିଲବାଡ଼ି କିମ୍ବା ନିର୍ମାଣ ଆଦି କାମରେ ଥିବା ଶ୍ରମିକମାନେ ବିଶେଷ ଭାବେ ସତର୍କ ରୁହନ୍ତୁ । ଖୋଲା ଆକାଶ ତଳେ କାମ କରୁଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ । କାରଣ ସେମାନେ ସିଧାସଳଖ ଖରା ତାତିର ସାମନା କରୁଛନ୍ତି । ସେମାନେ ଟାଣ ଖରା ସମୟରେ ବିଶ୍ରାମ ନେଇ ଖରା କମିଗଲେ କାମକୁ ଯିବା ଉଚିତ । ଖରା ଦିନେ ଆଦୌ ସିନ୍ଥେଟିକ୍‌ ପୋଷକ ପିନ୍ଧନ୍ତୁ ନାହିଁ । କେବଳ କଟନ୍‌ ପୋଷାକ ଆପଣଙ୍କୁ କିଛି ମାତ୍ରାରେ ଗରମରୁ ରକ୍ଷା କରିବ ।

ସିଧାସଳଖ ଖରା ତାତି ଠାରୁ ଆର୍ଦ୍ର ପରିବେଶ ଆହୁରି କଷ୍ଟ ଦିଏ । ଅର୍ଥାତ୍‌ ଗୁଳୁଗୁଳି ବେଶି କଷ୍ଟ ଦିଏ । ଯାହା ଶରୀର ପାଇଁ ଅଧିକ କ୍ଷତିକାରକ । ଏହି ସମୟରେ ଶୀତଳ ପାଣିରେ ଗାଧୋଇବା କିମ୍ବା ସ୍ପଞ୍ଜିଂ ଆଦି କଲେ ଆରାମ ମିଳିବ ।

ପିଲାମାନଙ୍କୁ କାର୍‌ରେ ଧରି ବାହାରକୁ ଗଲେ କେବେବି ସେମାନଙ୍କୁ କାର୍‌ ବନ୍ଦ କରି ତା ଭିତରେ ବସାଇ ରଖନ୍ତୁ ନାହିଁ । କାରଣ ଗରମ ଯୋଗୁଁ ବନ୍ଦ କାର ଭିତରେ ଗ୍ୟାସ ହୋଇ ଜୀବନ ସଂକଟାପନ୍ନ ହୋଇ ପାରେ । ଏମିତିକି କାର୍‌ ଓ୍ଵିଣ୍ଡୋ ଖୋଲା କରି ମଧ୍ୟ ପିଲା ଏବଂ ପୋଷା ଜନ୍ତୁଙ୍କୁ ତା ଭିତରେ ଛାଡ଼ି ଆସନ୍ତୁ ନାହିଁ ।

ସବୁ ବେଳେ ପାଣିପାଗ ଉପରେ ନଜର ରଖନ୍ତୁ । ତାପମାତ୍ରା ବଢ଼ିବା ସମୟ ଉପରେ ବି ଦୃଷ୍ଟି ରଖନ୍ତୁ । ନଚେତ କେବଳ ଆପଣ ନୁହେଁ ଆପଣଙ୍କ ପରିବାର ଅଂଶୁଘାତର ଶିକାର ହୋଇ ପାରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.