ବିଳମ୍ବିତ ରାତିରେ ହଠାତ ଲାଗିଲା ନିଆଁ, ଜଳିପୋଡ଼ି ପାଉଁଶ ହୋଇଗଲା ଘର

ଭୟଙ୍କର ଅଗ୍ନିକାଣ୍ଡ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡ଼ତିରା ଗାଁରେ ଘଟିଯାଇଛି । ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ୭ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

ଜଗତସିଂହପୁର (କେନ୍ୟୁଜ): ଛାରଖାର ହେଇଗଲା ସଂସାର । ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି ଘର । ଗୋଟିଏ ବି ଆସବାବପତ୍ର ନାହିଁ । ହଠାତ ନିଆଁ ଲାଗି ସବୁକିଛି ଜଳି ଯାଇଛି । ଟଙ୍କା ସହ ଘରେ ରଖିଥିବା ସୁନା ଗହଣା ବି ନଷ୍ଟ ହୋଇଯାଇଛି । ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡ଼ତିରା ଗାଁରେ ଘଟିଯାଇଛି । ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ୭ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ତିର୍ତ୍ତୋଲ ଥାନା ଜଡ଼ତିରା ଗାଁର ଅମ୍ବିକା ବିଶ୍ୱାଳ ଏବଂ ତାଙ୍କ ପୁଅ ଶୁଭ୍ରମୟ ଘରେ ଶୋଇଥିବା ସମୟରେ ଘରର ପଶ୍ଚିମ ପାଖରେ ଦୁଇଟି ଜାଗାରେ ନିଆଁ ଲାଗିଥିଲା । ଏହି ଘଟଣାକୁ ପ୍ରଥମେ ଶୁଭ୍ରମୟ ଦେଖିବା ପରେ ମା ଅମ୍ବିକାକୁ ଡାକ ପକାଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଘଟଣା ସ୍ଥଳରେ ଅଗ୍ନିଶମ ପହଞ୍ଚିବା ବେଳକୁ ଅମ୍ବିକା ବିଶ୍ୱାଳଙ୍କ ୭ ବଖରା ଘର ଓ ହୃଷିକେଶ ବିଶ୍ୱାଳଙ୍କ ୨ ବଖରା ଘର ଜଳି ଯାଇଥିଲା । ଏହା ସହ ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀମାନେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ଏବଂ ବେସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି ।

ବହୁ କଷ୍ଟରେ ଏମାନେ ଘର ଟିଏ କରିଥିଲେ କିନ୍ତୁ ଘରଟି ଜଳିଗଲା ପରେ ସେମାନଙ୍କ ରହିବାର ଠିକଣା ନାହିଁ । ଖାଇବା ପାଇଁ ବାସନ ଖଣ୍ଡିଏ ବି ନାହିଁ । ଯଦି ଏମାନଙ୍କ ରହିବା ପାଇଁ କିଛି ସାହାଯ୍ୟ ମିଳନ୍ତା ତେବେ ଏମାନଙ୍କ ଦୁଃଖ ଯାଆନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.