Below header

ମାନବିକତାର ଅନନ୍ୟ ଉଦାହରଣ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ, ଦୀର୍ଘ ତିନି କିଲୋମିଟର ରୋଗୀଙ୍କୁ ବୋହି ପହଁଚାଇଲେ ଆମ୍ବୁଲାନ୍ସ ନିକଟରେ

ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା ବିପଯ୍ୟସ୍ତ ହୋଇପଡିଥିବା ନେଇ ଖବର ଆମେ ଶୁଣିଥିବା । ଆମ୍ବୁଲାନ୍ସ କର୍ମଚାରୀଙ୍କ ର୍ଦୁବ୍ୟବହାର, ଠିକ୍ ସମୟରେ ଆମ୍ବୁଲାନ୍ସ ନପହଁଚିବା, କେଉଁଠି ଆମ୍ବୁଲାନ୍ସ କର୍ମଚାରୀ ସାଧାରଣ ଲୋକଙ୍କ ରୋଷର ଶିକାର ହେବା ଭଳି ଘଟଣା ପ୍ରାୟତଃ ଆମେ ଶୁଣିଥାଉ । କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସାଧାରଣ ଲୋକଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି ।

ଏଭଳି କିଛି ମାନବିକତାର ପରିଚୟ ଦେଇଛନ୍ତି ବରଗଡ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର କିଛି ଆମ୍ବୁଲାନ୍ସ କର୍ମଚାରୀ । ରୋଗୀଙ୍କୁ ଦୀର୍ଘ ତିନି କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ଆଣିବା ସହିତ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଠିକ୍ ସମୟରେ ପହଞ୍ଚାଇ ସମାଜ ପାଇଁ ପାଲଟିଛନ୍ତି ଏକ ଉଦାହରଣ । ଯେଉଁ ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

baragada ambulanceଖବର ମୁତାବକ, ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ୍ ସାନ ଜାମପାଲି ଗାଁରେ ଭୋଳାଦୀପ ନାମକ ଜଣେ ବ୍ଯକ୍ତି ଜଙ୍ଗଲକୁ କୋଳି ସଂଗ୍ରହ କରିବାକୁ ଯାଇଥିଲେ। ହଠାତ୍ ଜାମୁ ଗଛରେ ଚଢିବା ବେଳେକୁ ଅସାବଧାନତା ବଶତଃ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ଅଣ୍ଟା ଭାଙ୍ଗି ଯାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଭୋଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଦୁଃଖର ବିଷୟ ଆମ୍ବୁଲାନ୍ସଟି ଆସିଥିଲେ ମଧ୍ଯ ଭୋଳାଙ୍କ ନିକଟକୁ ଯାଇପାରିନଥିଲା ।

ଯାହାଫଳରେ ଆମ୍ବୁଲାନ୍ସର ଡ୍ରାଇଭର ସରୋଜ ପାଇକ, ରିଲୁ ପଶାୟତ ଏବଂ ଅରୁଣ ଛତ୍ରିଆ ଗୋଟିଏ ଖଟ ସାହାର୍ଯ୍ୟରେ ଭୋଳାଙ୍କୁ ଦୀର୍ଘ ତିନି କିଲୋମିଟର ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଭୋଳାଙ୍କ ଅବସ୍ଥା ଗୁରୁତର ଥିବାରୁ କର୍ମଚାରୀମାନେ କୌଣସି ବିଳମ୍ବ ନକରି ସିଧା ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଁଚାଇଥିଲେ । ପରେ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଏଭଳି ପଦକ୍ଷପ ପାଇଁ ସାରା ଅଞ୍ଚଳରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.