ତାତି ସହ ହାତ ମିଳାଇଛି ବେଆଇନ୍ ଇଟାଭାଟି, ସବୁ ଜାଣିଶୁଣି ମଧ୍ୟ ଚୁପ୍ ବସିଛି ରାଜସ୍ଵ ବିଭାଗ

କଣିଁହା ବ୍ଲକର ବିଭିନ୍ନ ଜନବସତି ଗାଁ ମାନଙ୍କରେ ଗଢ଼ି ଉଠୁଛି ଶହଶହ ଇଟାଭାଟି । ଇଟା ମାଫିଆମାନେ ବେଆଇନ ଭାବେ ଜନବସତି ପାଖରେ ସରକାରୀ ଓ ବେସରକାରୀ ଜାଗାରେ ଇଟା ପୋଡୁଛନ୍ତି । ଫଳରେ ଇଟାଭାଟିରୁ ନିର୍ଗତ ନିଆଁ ଓ ଧୂଆଁ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ।

କଣିଁହା(କେନ୍ୟୁଜ୍): ଅନୁଗୋଳ ଜିଲ୍ଲାର କଣିଁହା ବ୍ଲକରେ କଳକାରଖାନା ପାଇଁ ତାପମାତ୍ରା ବଢ଼ିଚାଲିଥିବାବେଳେ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏହା ଭିତରେ ତାତି ସହ ହାତ ମିଳାଇଛି ବେଆଇନ୍ ଇଟାଭାଟି । କଣିଁହା ବ୍ଲକର ବିଭିନ୍ନ ଜନବସତି ଗାଁ ମାନଙ୍କରେ ଗଢ଼ି ଉଠୁଛି ଶହଶହ ଇଟାଭାଟି । ଇଟା ମାଫିଆମାନେ ବେଆଇନ ଭାବେ ଜନବସତି ପାଖରେ ସରକାରୀ ଓ ବେସରକାରୀ ଜାଗାରେ ଇଟା ପୋଡୁଛନ୍ତି । ଫଳରେ ଇଟାଭାଟିରୁ ନିର୍ଗତ ନିଆଁ ଓ ଧୂଆଁ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଇଟାଭାଟି ପାଇଁ ଧ୍ଵଂସ ହେଉଛି ଜଙ୍ଗଲ । ମୃତ୍ତିକା କ୍ଷୟ ହୋଇ ଚାଲିଛି , ଗୋରୁଗାଈ ଚରିବାପାଇଁ ଚାରଣ ଭୂଇଁ କମିଯାଉଛି । ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବା ଇଟାଭାଟି ମାଫିଆଙ୍କ ବିରୋଧରେ କାହିଁକି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ । ମାଟିଇଟା ପୋଡ଼ିବା ସମ୍ପୂର୍ଣ୍ଣ ନିଷିଦ୍ଧ । ମାତ୍ର ରାଜସ୍ଵ ବିଭାଗ ସବୁ ଜାଣିଶୁଣି ମଧ୍ୟ ଚୁପ୍ ବସିଛି ।

ସରକାରୀ ନିୟମ ଅନୁସାରେ ଖରାଦିନେ ମାଟି ଇଟା ପୋଡାଯାଇ ପାରିବନାହିଁ । ମାଟି ଇଟାକୁ ସମ୍ପୂର୍ଣ୍ଣ ନିଶେଷ କରାଯାଇଛି , ହେଲେ ଏହି ନିୟମକୁ ଖାତିର କରୁନାହାନ୍ତି ଇଟାଭାଟି ମାଫିଆମାନେ । ସରକାରୀ ଜାଗାରେ ଗଣ୍ଡା ଗଣ୍ଡା ମାଟିଇଟାର ଭାଟି । ବେପାରୀମାନେ ଅବାଧରେ ମାଟିଇଟା ବିକ୍ରିକରି ମାଲାମାଲ୍ ହେଉଛନ୍ତି । ପ୍ରଶାସନକୁ ଅଞ୍ଚଳବାସୀ ଅବଗତ କରିବା ସତ୍ତ୍ଵେ ଏଥିରେ ରୋକ୍ ଲାଗୁନାହିଁ । ଇଟାଭାଟି ମାସମାସ ଧରି ପୋଡୁଛି । ଫଳରେ ଜନବସତି ଅଞ୍ଚଳରେ ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ଏପରିକି ଇଟାଭାଟି ମାଲିକମାନେ ବିନା ଲାଇସେନ୍ସ ରେ ଇଟା ପୋଡୁଛନ୍ତି । ମାତ୍ର ରାଜସ୍ଵ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ହାତ ବାନ୍ଧି ବସିପଡିଛି ବିଭାଗ । ଇଟା ମାଫିଆଙ୍କ ହାତ ମୁଠାରେ କଣିଁହା ବ୍ଲକର ରାଜସ୍ଵ ବିଭାଗ ।

ଏଣେ ବ୍ରାହ୍ମଣୀ ନଦୀ କୂଳ ଖାଇଚାଲିଛି । କୋଇଲା ଧୂଆଁ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଛି । ଏଥିଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଅର୍କିଳ, କୁଲାବୀର, ସୁଶୁବା ପଞ୍ଚାୟତର ସୁଶୁବାପାଳ, ଗୁଣ୍ଡୁରୀ ଆଦି ବିଭିନ୍ନ ଗାଁ ଗୁଡିକରେ ମାଟିଇଟା ପୋଡ଼ାଯାଉଛି । ଅଞ୍ଚଳର ସରକାରୀ ଓ ବେସରକାରୀ ଜାଗାରେ ବେଆଇନ ଇଟାଭାଟି ଥିବାବେଳେ , ଲକ୍ଷାଧିକ କଞ୍ଚାଇଟା ଥାକମାରି ରଖାଯାଇଛି ।

ମୃତ୍ତିକା ସଂରକ୍ଷଣ ଆଇନ ମୁତାବକ କେହି ମାଟିଇଟା ତିଆରି କରିପାରିବେ ନାହିଁ କିମ୍ବା କିଣାବିକା କରିପାରିବେ ନାହିଁ । ପାଉଁଶ ଇଟା କେବଳ ବ୍ୟବହାର କରିବାକୁ ପ୍ରଦୂଷଣ ଓ ଫ୍ୟାକ୍‌ଟ୍ରି ବଏଲର୍‌ ବିଭାଗର ନିର୍ଦ୍ଦେଶ ଅଛି । ଇଟା ମାଫିଆମାନେ କିନ୍ତୁ ଏହି ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି । ଅବାଧରେ ମାଟିଇଟା ପୋଡ଼ି ବିକ୍ରି କରାଯାଉଛି । ଇଟା ପାଇଁ ମାଟି ଖୋଳାଯାଉଥିବାରୁ ବ୍ରାହ୍ମଣୀନଦୀ କୂଳ ଖାଲ ହୋଇ ନିକଟ ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି ।

ଇଟା ପୋଡ଼ିବା ପାଇଁ ଟନ୍ ଟନ୍ କୋଇଲା ବ୍ୟବହାର କରାଯାଉଛି । ଅବାଧରେ କୋଇଲା ବିକ୍ରି ପାଇଁ ଏମ୍‌ସିଏଲ୍ ପକ୍ଷରୁ ଅନୁମତି ଦିଆଯାଏ ନାହିଁ । ତେଣୁ ଇଟାଭାଟିରେ ବ୍ୟବହାର ହେଉଥିବା କୋଇଲା ଚୋରା କୋଇଲା ହୋଇଥିବା ସାଧାରଣରେ ଆଶଙ୍କା କରାଯାଇଛି । ସାଧାରଣ ଲୋକଟିଏ ନିଜ ଘର ପାଇଁ ଇଟାଭାଟି ପୋଡିଲେ ତାଙ୍କ ଉପରେ ସମସ୍ତ ନିୟମ ଲଗାଯାଇଥାଏ । ମାତ୍ର ମାଫିଆଙ୍କ ପାଇଁ ଏସବୁର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯଥାଶୀଘ୍ର ସମ୍ଭବ ପ୍ରଶାସନ ପକ୍ଷରୁ ଏହି ବେଆଇନ ଇଟାଭାଟି ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.