କୋରାନା କଟକଣାକୁ ଫୁ: ବାଲେଶ୍ବର ମାନ୍ଧାତା ହାଟରେ ଚାଲିଲା ବେଆଇନ କୁକୁଡା ଲଢେଇ, ଜମିଲା ଲୋକଙ୍କ ପ୍ରବଳ ଭିଡ

ଜଳେଶ୍ବର: ଶହଶହ ଲୋକଙ୍କୁ ନେଇ ଜମିଛି ଭିଡ଼। ନା ଅଛି ସାମାଜିକ ଦୂରତା , ନା କେହି ଜଣେ ହେଲେ ପିନ୍ଧିଛନ୍ତି ମାସ୍କ। ଭୟଙ୍କର କରୋନା ମହାମାରୀର ଭୟ ଟିକିଏ ମଧ୍ୟ ନାହିଁ କାହାରିକୁ। ଖୁଲମ ଖୁଲା ଭାବେ ଚାଲିଛି ବେଆଇନ କୁକୁଡା ଲଢେଇ। ଏମିତି ଲାଗୁଥିଲା ସତେ ଯେମିତି କୋରାନା ମହାମାରୀ ପୃଥିବୀରୁ ଉଭେଇ ଯାଇଛି। ଆଉ ଲୋକମାନେ ଆନନ୍ଦ ଉତ୍ସବ ପାଳନ କରୁଛନ୍ତି। ଏ ଘଟଣା ହେଉଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମାନ୍ଧାତା ହାଟର। ଯେଉଁଠି ମହାମାରୀ ସମୟରେ କୁକୁଡା ଲଢେଇ ସାଙ୍ଗକୁ ଖୁଲମଖୁଲା ଜୀବହତ୍ୟାର ମଜା ନେଉଥିଲେ ଶହଶହ ସଂଖ୍ୟାକ ଲୋକ। ଆଉ ସତେ ଯେମିତି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ସବୁ ଜାଣି ମଧ୍ୟ ଆଖି ବୁଜିଦେଇଛି।
ଯାହାର ମୌକା ନେଇ ଆରମ୍ଭ ହୋଇଯାଇଥିଲା କୋଭିଡ ନିୟମର ଉଲଂଘନ। ନା କେହି ରୋକିବା ପାଇଁ ଅଛନ୍ତି ନା କେହି ସଚେତନ କରିବାପାଇଁ । କୋଭିଡ କଟକଣାକୁ ଫୁ କରି ସଭିଏଁ ମିଶି କୁକୁଡା ଲଢେଇର ମଜା ନେଉଛନ୍ତି । କିଏ ଏହି କୁକୁଡା ଲଢେଇର ଆୟୋଜନ କଲେ? ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ କେମିତି ଏ ବାବଦରେ ଜାଣି ପାରିଲେ ନାହିଁ । ଯେଉଁ ଘଡିସନ୍ଧି ମୂହୁର୍ତ୍ତରେ ପ୍ରତିଦିନ ଦେଶରେ ହଜାର ହଜାର ସଂଖ୍ଯକ କରୋନା ସଂକ୍ରମିତଙ୍କ ଜୀବନ ଯାଉଛି, ଏହି ପରିସ୍ଥିତିରେ ଏସବୁ ପ୍ରଶ୍ନର ଉତ୍ତର ନିହାତୀ ମିଳିଛି ଉଚିତ୍।