Below header

ରାଜଧାନୀରେ ବେଆଇନ୍‌ ପାର୍କିଂ ଫି ଆଦାୟ

ଦିନ ଦ୍ୱିପହରରେ ଲୁଟୁଛନ୍ତି ବଦମାସ : ପୋଲିସ୍‌, ବିଏମ୍‌ସି ନିରବ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀରେ ଦିନ ଦ୍ୱିପହରରେ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛନ୍ତି ଲୋକେ । ବିଏମ୍‌ସି ପାର୍କିଂ ଜାଗାରୁ ବେଆଇନ୍‌ ଭାବେ ଆଦାୟ ହେଉଛି ଫି । କିଛି ଯୁବକ ବିଏମ୍‌ସି ଲେଖା ଥିବା ଟିକେଟ୍‌ ଦେଇ ଲୋକଙ୍କ ଠାରୁ ଦୁଇ ଚକିଆ ଗାଡ଼ି ପିଛା ୫ ଟଙ୍କା ଏବଂ ଅଟୋ ଓ ଅନ୍ୟ ଚାରି ଚକିଆ ଗାଡ଼ିଠାରୁ ୨୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ତେବେ ଅସଲ କଥା ହେଉଛି ରାଜଧାନୀର କିଛି ପାର୍କିଂ ଜାଗାରୁ ପାର୍କିଂ ଫି ଆଦାୟ ପାଇଁ ଦିଆଯାଇଥିବା ଟେଣ୍ଡର ଅବଧି ସରି ଯାଇଛି । ନୂଆ ଟେଣ୍ଡର ଆହ୍ଵାନ କରାଯାଇଛି । ଏଇ ସମୟ ଭିତରେ କିଛି ଲୋକ ବେଆଇନ୍‌ ଭାବେ ଫି ଆଦାୟ କରି ଲୋକଙ୍କୁ ଖୁଲ୍ଲମଖୁଲ୍ଲା ଲୁଟୁଛନ୍ତି ।

ଏକଥା ଜାଣିବା ପାଇଁ କେନ୍ୟୁଜ୍‌ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଆମେ ପହଞ୍ଚିଥିଲୁ ରାଜମହଲ ଛକ ନିକଟ ଏକ ପାର୍କିଂ ସ୍ଥଳରେ । ଜଣେ ଯୁବକ ହାତରେ ବିଏମ୍‌ସି ଟିକେଟ୍‌ ଧରି ଲୋକଙ୍କ ଠାରୁ ଫି ଆଦାୟ କରୁଥିଲେ । ବିନା ଟେଣ୍ଡରରେ ଏସବୁ ବେଆଇନ୍‌ କାରବାର ଚାଲିଥିବା ଜାଣିବା ପରେ ଆମେ ପହଞ୍ଚିଥିଲୁ ବିଏମ୍‌ସି କାର୍ୟ୍ୟାଳୟରେ । ପଚାରି ବୁଝିଥିଲୁ ଘଟଣା କଣ ବୋଲି । ତେବେ ଅଧିକାରୀଙ୍କ ଠାରୁ ଜାଣିବାକୁ ପାଇଲୁ ସେହି ପାର୍କିଂ ସ୍ଥଳରୁ ଫି ଆଦାୟ ପାଇଁ କାହାକୁ ଅନୁମତି ଦିଆଯାଇନାହିଁ । ବିଏମ୍‌ସିର ସ୍ୱତନ୍ତ୍ର ସ୍କ୍ଵାର୍ଡ ଏଭଳି ଲୋକଙ୍କୁ ଧରିବା ପାଇଁ ଚଢ଼ଉ କରୁଛି । ଏ ସମ୍ପର୍କରେ ପୋଲିସ୍‌ରେ ମଧ୍ୟ ଅଭିଯୋଗ କରାଯାଇଛି ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ରାଜଧାନୀର ଏମିତି କିଛି ସ୍ଥାନରୁ ବେଆଇନ୍‌ ଭାବେ ଲୋକଙ୍କଠାରୁ ଫି ଆଦାୟ ହେଉଥିବା ସ୍ପଷ୍ଟ ହୋଇଯାଇଛି । ତେଣୁ ରାଜଧାନୀବାସୀଙ୍କୁ ଆମର ଅନୁରୋଧ ସେମାନେ ଏଭଳି ବେଆଇନ୍‌ ପାର୍କିଂ ଫି ଆଦାୟକୁ ବିରୋଧ କରନ୍ତୁ । ଆଗେ ଜାଣି ନିଅନ୍ତୁ ଯେ ଆପଣ ଯାହାକୁ ଗାଡ଼ି ରଖିବା ବାବଦରେ ଫି ଦେଉଛନ୍ତି ସେ ଅସଲି ନା ନକଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.