ରାଜଧାନୀରେ ୧୨ ରୁ ଖୋଲିବ ଧର୍ମାନୁଷ୍ଠାନ, ମନ୍ଦିରରେ ପ୍ରବେଶ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ

ଭୁବନେଶ୍ବର(କେନ୍ଯୁଜ୍): କରୋନା ସଂକ୍ରମଣ କମୁଥିବାରୁ ଆସନ୍ତା ୧୨ ତାରିଖରୁ ରାଜଧାନୀରେ ସବୁ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ କଟକଣାରେ ଭୁବନେଶ୍ୱରରେ ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ଖୋଲିବା ନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ ବିଶୋଧନ ଜରୁରୀ । କେବଳ ଦୁଇ ଡୋଜ ଟିକା ନେଇଥିବା ପୂଜକ ଓ ସେବାୟତମାନେ ଧାର୍ମିକ ଅନୁଷ୍ଠାନରେ ପୂଜାର୍ଚ୍ଚନା କରିବେ । କୋଭିଡ କଟକଣା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତି କେବଳ ମନ୍ଦିର ପରିସରକୁ ଯାଇପାରିବେ ।

ଏଥିପାଇଁ ଭ୍ୟାକ୍ସିନେସନ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା । ମନ୍ଦିରରେ କେହି ଭୋଗ ଲଗାଇପାରିବେ ନାହିଁ । ପିତାମାତା ଓ ଅଭିଭାବକଙ୍କ ତତ୍ତ୍ୱାବଧାନରେ ୧୫ ବର୍ଷ ବୟସ ତଳର ପିଲାମାନେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନକୁ ଯାଇପାରିବେ । ଲିଙ୍ଗରାଜ ମନ୍ଦିର ଏକ ସମୟରେ ଶହେ ଜଣେ ଶ୍ରଦ୍ଧାଳୁଙ୍କୁ ସିଂହଦ୍ୱାରରୁ ଆଡ଼ କାଠ ଯାଇପାରିବେ । ସାହାଣ ଦର୍ଶନ ଓ ଗର୍ଭଗୃହ ଦର୍ଶନ ସଂପୂର୍ଣ୍ଣ ମନା । ପ୍ରତି ଧର୍ମାନୁଷ୍ଠାନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ କର୍ତ୍ତୃପକ୍ଷ ହାତ ଧୋଇବା/ସାନିଟାଇଜର ବ୍ୟବସ୍ଥା କରିବେ । ଆସନ୍ତା ୨୮ ତାରିଖ ଯାଏ ଏହି ଗାଇଡଲାଇନ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.