ଇଣ୍ଡିଆ ଟୁଡେ ଓପିନିଅନ ପୋଲ୍ ସର୍ଭେ : ଷଷ୍ଠ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଳୀ :ଇଣ୍ଡିଆ ଟୁଡେ ମୁଡ୍‌  ଅଫ ଦ ନେସନ ସର୍ଭେ। ୨୦୧୯ ପାଇଁ ହୋଇଛି ଆକଳନ। ଯେଉଁଥିରେ ୪ଟି ସମ୍ଭାବ୍ୟ ସ୍ଥିତି ଉପରେ ଅନୁମାନ କରାଯାଇଛି। ପ୍ରଥମ ସମ୍ଭାବ୍ୟ ସ୍ଥିତି, ବର୍ତ୍ତମାନ ଏନ୍‌ଡିଏ ଓ ୟୁପିଏ ମେଣ୍ଟରେ ଯେଉଁ ଦଳ ଅଛନ୍ତି ସେହି ମେଣ୍ଟରେ ଯଦି ନିର୍ବାଚନ ହୁଏ ତେବେ ଏନ୍‌ଡିଏ ପାଇବ ୨୮୧ ସିଟ୍‌। ଯେଉଁଥିରେ ବିଜେପି ସିଟ୍‌ ରହିଛି ୨୪୫। ୟୁପିଏ ପାଇବ ୧୨୨ ସିଟ୍‌। ଯେଉଁଥିରେ କଂଗ୍ରେସ ସଂଖ୍ୟା ରହିଛି ୮୩। ଅନ୍ୟ ଦଳଙ୍କୁ ମିଳିବ ୧୪୦ ଆସନ। ସମ୍ଭାବ୍ୟ ସ୍ଥିତି ଦୁଇ। ଯଦି ୟୁପିଏ ସହ ଟିଏମ୍‌ସି, ଏସ୍‌ପି ଓ ବିଏସ୍‌ପି ମେଣ୍ଟ ହୁଏ ତେବେ ଏନ୍‌ଡିଏ ସିଟ୍‌  ୨୮୧ରୁ ହ୍ରାସ ପାଇ ୨୨୮ ହେବ। ସେପଟେ ୟୁପିଏ ସିଟ୍‌ ସଂଖ୍ୟା ପ୍ରାୟ ଶହେ ବଢି ହେବ ୨୨୪ ହେବ। ଅନ୍ୟ ଦଳ ପାଇବେ ୯୧ ଆସନ।

ସମ୍ଭାବ୍ୟ ସ୍ଥିତି ତିନି। ଯଦି ଏନ୍‌ଡିଏ ସହ ଏଆଇଏଡିଏମ୍‌କେ ଓ ୱାଇଏସ୍‌ଆର କଂଗ୍ରେସ ମେଣ୍ଟ କରେ, ତେବେ ଏନ୍‌ଡିଏକୁ ମିଳିବ ୨୫୫ ଆସନ। ସେପଟେ ୟୁପିଏରେ ଯଦି ଟିଡିପି ଓ ପିଡିପି ମିଶନ୍ତି ତେବେ ୟୁପିଏ ପ୍ଲସକୁ ମିଳିବ ୨୪୨ ଆସନ। ଅନ୍ୟ ଦଳ ପାଇବେ ୪୬ ଆସନ। ସମ୍ଭାବ୍ୟ ସ୍ଥିତି ୪। ଯଦି ସ୍ଥିତି ତିନିର ଏନ୍‌ଡିଏ ସହ ବିଜେଡି ଓ ଟିଆରଏସ୍‌ ମେଣ୍ଟ କରନ୍ତି ତେବେ ଏନ୍‌ଡିଏ ସଂଖ୍ୟା ୨୮୨ରେ ପହଞ୍ଚିବ। ସେପଟେ ପସନ୍ଦର ପ୍ରଧାନମନ୍ତ୍ରୀ କିଏ? ଏହି ସର୍ଭରେ ମଧ୍ୟ ୪୯ ପ୍ରତିଶତ ସହ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାହୁଲ ୨୭ ପ୍ରତିଶତ ସହ ଅଛନ୍ତି ଦ୍ୱିତୀୟ ସ୍ଥାନରେ। ଅର୍ଥାତ ସର୍ଭେ ମୁତାବକ ୨୦୧୯ ପାଇଁ ୟୁପିଏଠାରୁ ସବୁ ସ୍ଥିତିରେ ଆଗରେ ରହୁଛି। କିନ୍ତୁ ୟୁପିଏ ସହ ଅନ୍ୟ କିଛି ଟିଏମ୍‌ସି, ବିଏସ୍‌ପି ଓ ଏସ୍‌ପି ଭଳି ସହଯୋଗୀଙ୍କ ପ୍ରାକ ନିର୍ବାଚନୀ ମେଣ୍ଟ ହୁଏ, ଏନ୍‌ଡିଏକୁ କଡା ଟକ୍କର ମିଳିବ।

ସେପଟେ ଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ? ଇଣ୍ଡିଆ ଟୁଡେ ସର୍ଭରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନମ୍ବର ୱାନ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାରେ ନବୀନଙ୍କ ଅଧିକ ଲୋକପ୍ରିୟତା ଦୃଷ୍ଟିରୁ, ସର୍ଭେରେ ଏଭଳି ଫଳାଫଳ ଆସିଥିବା ଇଣ୍ଡିଆ ଟୁଡେ କହିଛି। ସାରା ଦେଶର ଲୋକଙ୍କ ମତରେ କିନ୍ତୁ ନବୀନ, ଷଷ୍ଠ ଦକ୍ଷ ଓ ଲେକପ୍ରିୟ ମୁଖ୍ୟମନ୍ତ୍ରୀ। ୧୩ ପ୍ରତିଶତ ଭୋଟ୍‌  ସହ ପ୍ରଥମେ ରହିଛନ୍ତି ମମତା ବାନାର୍ଜୀ। ଦ୍ୱିତୀୟରେ ୧୦ ପ୍ରତିଶତ ସହ ଅଛନ୍ତି ନୀତିଶ କୁମାର ଓ ଅରବିନ୍ଦ କେଜରିୱାଲ। ତୃତୀୟରେ ୯ ପ୍ରତିଶତ ସହ ଯୋଗୀ ଆଦିତ୍ୟନାଥ, ଚତୁର୍ଥରେ ୭ ପ୍ରତିଶତ ସହ ଚନ୍ଦ୍ରବାବୁ ନାଇଡୁ, ପଞ୍ଚମରେ ୫ ପ୍ରତିଶତ ସହ ଅଛନ୍ତି ରମଣ ସିଂହ ଓ ଶିବରାଜ ସିଂହ ଚୌହ୍ଵାନ। ୪ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.