ଏକାଠି ହେବେ ସାରାବିଶ୍ୱର ନୃତତ୍ତ୍ୱବିତ୍, କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ

ଭୁବନେଶ୍ବର : କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ । ଯାହା ଏକ ବଡ଼ ସଫଳତା । କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩ । ପ୍ରତି ୫ ବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ ହେଉଥିବା ବେଳେ ୨୦୨୩ରେ କିଟ୍‌ ଓ କିସ୍‌ରେ ଏହା ଆୟୋଜିତ ହେବାକୁ ଯାଉଛି । କିସ୍‌ରେ ବିଶ୍ୱର ଏହି ସମ୍ମାନଜନକ କଂଗ୍ରେସ ଆୟୋଜନ କରିବା ପାଇଁ ଗତ ୫ ବର୍ଷ ଧରି କିସ୍‌ ଉଦ୍ୟମ କରିଆସୁଥିଲା । ଶେଷରେ ୨୦୨୩ରେ ଏହାକୁ ଆୟୋଜନ କରିବା ପାଇଁ କିସ୍‌କୁ ସୁଯୋଗ ମିଳିଛି । ଦୀର୍ଘ ୪୫ ବର୍ଷ ପରେ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି କଂଗ୍ରେସ ଆୟୋଜନ ପାଇଁ ଅଲିମ୍ପିକସ, ଫିଫା, ବିଶ୍ୱକପ୍‌ କ୍ରିକେଟ୍‌ ଭଳି ବିଶ୍ୱସ୍ତରୀୟ ବିଡିଂ କରାଯାଇଥାଏ । ୨୦୧୪ରେ ଭାରତ ତରଫରୁ କିସ୍‌ ଏହି ବିଡିଂରେ ଅଂଶଗ୍ରହଣ କରିଥିଲେ ମଧ୍ୟ ବ୍ରାଜିଲ୍‌ ଏହି ସୁଯୋଗ ପାଇଥିଲା। ଗତବର୍ଷ ପୁଣି ଥରେ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ବିଡିଂ କରିଥିଲା କିସ। ଚୂଡ଼ାନ୍ତ ପର୍ଯ୍ୟାୟ ବିଡିଂ ରେ ରହିଥିଲେ ଭାରତର କିସ୍‌ ଓ କ୍ରୋଏସିଆ। କିସ୍‌କୁ ସର୍ବାଧିକ ୨୦୮୪ ଭୋଟ୍‌ ମିଳିଥିବା ବେଳେ କ୍ରୋଏସିଆକୁ ମିଳିଥିଲା ମାତ୍ର ୮୯ଭୋଟ୍‌। କିସ୍‌ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଥିଲା। କିସରେ ବିଶ୍ୱର ଏହି ସର୍ବପୁରାତନ କଂଗ୍ରେସ କିପରି ଆୟୋଜନ କରାଯାଇ ପାରିବ ସେଥିନେଇ କିସ୍‌ କର୍ତ୍ତୃପକ୍ଷଙ୍କ ସମେତ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଦ୍ୱୟ ବ୍ୟାପକ ଉଦ୍ୟମ କରିଥିଲେ।

୨୦୨୩ ଜାନୁଆରି ମାସରେ କିଟ୍‌ ଓ କିସ୍‌ରେ ଏହି ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶ୍ୱର ୧୫୦ଟି ଦେଶରୁ ୧୦ ହଜାରରୁ ଅଧିକ ନୃତତ୍ତ୍ୱବିତ୍‌, ଶିକ୍ଷାବିତ୍‌, ଗବେଷକ, ଓ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.