Below header

ଯାଜପୁର: ବଧୂହତ୍ୟା ଅଭି‌ଯୋଗରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ, କିରୋସିନ ଢାଳି ମାରିଦେଇଥିଲେ

ଯାଜପୁର ଟାଉନ(କେନ୍ୟୁଜ୍): ବଧୂହତ୍ୟା ଅଭିଯୋଗରେ ମୃତକଙ୍କ ସ୍ବାମୀ, ଶ୍ବଶୁର,ଦିଅର ଓ ଶାଶୁଙ୍କୁ ଯାଜପୁର ଜିଲ୍ଲା ଦୌରାଜଜ୍ ଶ୍ରୀକାନ୍ତ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ ମାହାଙ୍ଗା ଥାନା ମଣ୍ଡା ଗ୍ରାମର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଜେନାପୁର ଥାନା ଦଣ୍ଡାଘାଟି ଗ୍ରାମର ବୀରବର ପଣ୍ଡାଙ୍କ ପୁଅ ଚକ୍ରଧର ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଶାଶୂଘର ଲୋକ ଝିଅକୁ ନିର୍ଯ୍ୟାତନା ଦେଉଥିବା ବେଳେ ଆପୋସ ବୁଝାବଣାରେ ତାହାର ସମାଧାନ ହେଉଥିଲା। ତେବେ ୨୦୧୪ ଫେବୃଆରୀ ୨୯ ତାରିଖରେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ସ୍ବାମୀ ଚକ୍ରଧର, ଦିଅର ଅମୀ, ଶାଶୁ ତନୁଲତା ଓ ଶ୍ବଶୁର ବୀରବର କିରୋସିନ ଢ଼ାଳି ହତ୍ୟା ଉଦ୍ୟମ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର ପାଇ ଲକ୍ଷ୍ମୀପ୍ରିୟା କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଏହି ସମୟରେ କଟକ ପୁଲିସ ଏସପି ତଥା ଏକ୍ସ୍ୟୁଟିଭ୍ ମାଜିଷ୍ଟେଟ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ରେକର୍ଡ କରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ମୃତକଙ୍କ ମାଆ କମଳା ପଣ୍ଡା ଜେନାପୁର ଥାନାରେ ଅଭିଯୋଗ ପରେ ପୁଲିସ କେସ ନଂ ୩୭/୨.୩.୨୦୧୪ରେ ମାମଲା ରୁଜୁ କରି ସ୍ବାମୀ,ଦିଅର,ଶାଶୁ ଓ ଶ୍ବଶୁରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ।

ତେବେ ଆଜି ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ‌ଦୌରାଜଜ ଶ୍ରୀକାନ୍ତ ମିଶ୍ର ସମସ୍ତ ଅସାମୀ ୪ ଜଣଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରୋସିକ୍ୟୁଟର ଗଦାଧର ସାହୁ ପରିଚାଳନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.