ଲଘୁଚାପ ବର୍ଷା ପ୍ରଭାବରେ ମଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ପାର୍, ସକାଳ ୭ଟା ସୁଦ୍ଧା ଜଳସ୍ତର ରହିଛି ୬.୩୦ ମିଟର

ଜଳେଶ୍ବର(କେନ୍ୟୁଜ୍): ଲଘୁଚାପ ବର୍ଷାରେ ଫୁଲିଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଙ୍କେତ ପାର କରିଛି ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବା ବେଳେ ଆଜି ସକାଳ ୭ଟା ସୁଦ୍ଧା ଜଳସ୍ତର ରହିଛି ୬.୩୦ ମିଟର ।

ମୟୂରଭଞ୍ଜର ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଅଛନ୍ତି ନଦୀକୂଳିଆ ଲୋକ ।

ସୂଚନା ଥାଉକି,ବଙ୍ଗୋପ ସାଗରରେ ଅବପାତ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ହୋଇଛି । ତୁହାକୁ ତୁହା ଭୀଷଣ ବର୍ଷାରେ ଭିଜିଛି ଓଡ଼ିଶା । ଏବେ ଅବପାତ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି । ବର୍ତ୍ତମାନ ଭବାନୀପାଟଣାଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୧୯୦ କିଲୋମିଟର ଦୂରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ପଡ଼ିବ ।

ଆଜିବି ରାଜ୍ୟରେ ବିସ୍ତତି ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । କିଛି ସ୍ଥାନରେ ଚାଲିଛି ଝିିପିଝିପି ବର୍ଷା । ସକାଳ ସାଢେ ୮ଟା ଯାଏ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ରହିଛି । ଆଜି ପାଇଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

 

ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକ ୟେଲୋ ସତର୍କତା ଜାରି କରାଯାଇଛି । ଗତକାଲି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ୩୩ ଘଣ୍ଟା ଭିତରେ ରାଜ୍ୟରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା । ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୬୭ ମିଲିମିଟର, ବାଲେଶ୍ୱରରେ ୧୦୮ ମିଲିମିଟର, ବଲାଙ୍ଗିରରେ ୧୦୩ ମିଲିମିଟର ବର୍ଷା ରେକର୍ଡ କରିଥିଲା ପାଣିପାଗ ବିଭାଗ । ଅବପାତ ପ୍ରଭାବରେ ଅଧିକ ଅଶାନ୍ତ ରହିଛି ସମୁଦ୍ର । ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁୁଦ୍ରକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.