କେନ୍ଦୁଝର: ସଂରକ୍ଷୀତ ଜଙ୍ଗଲରୁ ଜେସିବି ଜବତ; ବିନା ଅନୁମତିରେ ଏକାଧିକ ଗଛ ନଷ୍ଟ

କେନ୍ଦୁଝର: ବଡବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା ଫରେଷ୍ଟ ବିଟ୍ ଅଧିନ କାରଣସାହି ନିକଟ ୫୨୦ ନଂ ଜାତୀୟ ରାଜପଥ ଉପରେ ନିର୍ମାଣଧିନ ଟୋଲଗେଟ ନିକଟ ସଂରକ୍ଷୀତ ଜଙ୍ଗଲରେ ଏକ ଜେସିବି ନଂ. ଜେଏଚ୍୦୫ଏଫ୍-୪୫୨୭ରୁ ପ୍ରାୟ ୨ଶହ ମିଟର ଗଛ କାଟି ଭିତରେ ପଶି ଏକ ଟାୱାର ନିର୍ମାଣ ନିମନ୍ତେ ଫାଉଣ୍ଡେସନ ଖୋଳୁଥିବା ସମୟରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜେସିବିଟିକୁ ଜବତ କରାଯାଇଛି। ଏହାପରେ ତାହାକୁ ବଡବିଲ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ମୁତାବକ, ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ସଂରକ୍ଷୀତ ଜଙ୍ଗଲକୁ କାଟି ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ମଣ୍ଟେକାର୍ଲୋ ଏହି ଫାଉଣ୍ଡେସନ ଖୋଳୁଥିବା ସମୟରେ ସ୍ଥାନୀୟ ବାସିନ୍ଦାଙ୍କପ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷକ ଗିରିଧାରି ନାଏକ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କୁ ଦେଖି ଜେସିବି ଚାଳକ ଜେସିବିଟିକୁ ଛାଡି ଚମ୍ପଟ ମାରିଥିଲା । ଏହି ଘଟଣା ସମ୍ବନ୍ଧରେ ଶ୍ରୀ ନାଏକ ବଡବିଲ ରେଞ୍ଜର ସୁଜିତ୍ କୁମାର ସାହୁଙ୍କୁ ଅବଗତ କରାଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ବିଲେଇପଦା ଫରେଷ୍ଟର ପ୍ରଦୀପ କୁମାର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଜେସିବିଟିକୁ ଜବତ କରିଥିଲେ ।

ଘଟଣାସ୍ଥଳରେ ମାଟି ଖୋଳାଯିବା ସହ ରାସ୍ତା ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଗଛ କଟାଯାଇ ରାସ୍ତା ନିର୍ମାଣ କରାଯାଇଥିବା ଦେଖାଯାଇଥିଲା । ଯାହା ଏବେ ଜଙ୍ଗଲ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବଡବିଲ ତହସିଲଦାର ଆଲୋକ କୁମାର ପଟେଲଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କୁ ଏହି ନିର୍ମାଣ ନିମନ୍ତେ କୌଣସି ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.