Below header

ଓଳାଶୁଣୀ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର(କେନ୍ୟୁଜ): ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌.ୟୁ.ଜେ)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ‘ସ୍ୱାଧିନତାର ୭୫ ବର୍ଷରେ ଆମେ’ ଶୀର୍ଷକ ଆଲୋଚନା ଚକ୍ର ଏବଂ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ଉତ୍ସବ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାଷ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସଵକୁ ଉଦଘାଟନ କରିବା ସହ ସାମ୍ବାଦିକ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।

ଗ୍ରାମାଞ୍ଚଳରେ ରହୁଥିବା ସାମ୍ବାଦିକ ମାନେ କିଭଳି ଭାବରେ କଷ୍ଟ ସ୍ୱୀକାର କରି ଖବର ପ୍ରେରଣ କରୁଛନ୍ତି ସେଥିପ୍ରତି ସେ ସଚେତନଥିବା କଥା ପ୍ରକାଶ କରିଥିଲେ । ଖବର ପ୍ରକାଶନ ପୂର୍ବରୁ ଆମର ଚିନ୍ତନ ଓ ମାନସିକତାକୁ ସାକାରାତ୍ମକ ଢଙ୍ଗରେ ନେବା ସହ ସେହିଭଳି ବିଚାର ଧାରାରେ ଖବର ପରିବେଶଣ କରିବା ସମସ୍ତଙ୍କର ଧେୟ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତ୍ୟେକ ସଂଘ ଏକତ୍ରୀତ ହୋଇପାରିଲେ ସଫଳତା ମିଳିବ । ସାମ୍ବାଦିକ ଖବର ସଂଗ୍ରହ କଲା ବେଳେ ତାର ପେଟପାଟଣା ଓ ପରିବାରକୁ ପଛରେ ପକାଇ ତା ନିଷାରେ ସମ୍ବାଦ ସଂଗ୍ରହ କରିବାକୁଯାଏ । ଖବର ସଂଗ୍ରହର ନିଷା ଏତେ ବଢିଯାଇଥାଏ ଯେ କେତେବେଳେ ତାର ଜୀବନ ଚାଲିଯାଏ ସେ ଜାଣିନଥାଏ । ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ସମସ୍ତ ବର୍ଗର ଲୋକମାନଙ୍କୁ ସରକାରଙ୍କ ତରଫରୁ ସହାୟତା ମିଳୁଥିବା ବେଳେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକଟିଏ କୌଣସି ସହାୟତା ରାଶି ପାଇନଥାଏ ।

ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତ ରଖିଥିଲେ । ବିଶିଷ୍ଟ ଅତିଥି ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇଥିଲା ବେଳେ ବିଶିଷ୍ଟ ବକ୍ତା ଭାବେ ଏସ୍‌.ୟୁ.ଜେ ର ସଭାପତି ଅଜୟ କୁମାର ସାହୁ ଯୋଗଦେଇଥିଲେ । ସମ୍ମାନିତ ବକ୍ତା ଭାବେ ସ୍ତମ୍ଭକାର ବିରଞ୍ଚି ନାରାୟଣ ଦାସ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଯୋଗଦେଇଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏସ୍‌.ୟୁ.ଜେ ର ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ ସଂଚାଳନା କରିଥିଲା ବେଳେ ଓଳାଶୁଣୀ ମଠର ମହନ୍ତ ଡ଼ଃ ନାମାନନ୍ଦ ଦାସ ରାଜ୍ୟର ସମସ୍ତ ସାମ୍ବାଦିକ ମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥି ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ଜିଲ୍ଲା ଉପସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରେସ୍‌କ୍ଲବ ବାଲିଚନ୍ଦ୍ରପୁରର ସଭାପତି ପ୍ରକାଶ ଚନ୍ଦ୍ର ସାମଲ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩ ଶହରୁ ଉର୍ଦ୍ଧ୍ୱ ସାମ୍ବାଦିକ ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରେସ୍‌କ୍ଲବ ବାଲିଚନ୍ଦ୍ରପୁରର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.