ଆଗକୁ ଭୟଙ୍କର ହେବକି ଆଗ୍ନେୟଗିରି ସ୍ଥିତି, କାହିଁକି ଗବେଷକ କହିଲେ ଏମିତି?

ଏବେ ଲାଗୁଛି ଯେମିତି ପୃଥିବୀ ଉପରେ ବିନାଶର ଛାଇ ଘୂରିବୁଲୁଛି । ଆଉ ସେମିତି କିଛି ଘଟଣା ଘଟିଲେ ସେହି ଖବର ଭାଇରାଲ ହେବାରେ ବିଲକୁଲ ବି ବିଳମ୍ବ ହେଉନି । ଆମେ ଯେଉଁ ପୃଥିବୀରେ ବସବାସ କରୁଛେ ତାହା କେତେଦୂର ସୁରକ୍ଷିତ ଆମେ ସବୁବେଳେ ଜାଣିବାକୁ ଚାହୁଁଛେ । ସେ କୌଣସି କ୍ଷୁଦ୍ର ଗ୍ରହ ହେଉ ବା ଉଲକା ପିଣ୍ଡ, ପୃଥିବୀ ଆଡକୁ ଆସୁଥିବା ବେଳେ ତାକୁ ନେଇ ଆକଳନ କରାଯାଏ କି ଭବିଷ୍ୟତରେ କଣ ହେବ । ଡାଇନୋସରର ବିନାଶ ସମୟରେ ଏକ କ୍ଷୁଦ୍ର ଗ୍ରହ ପୃଥିବୀ ସହ ପିଟି ହୋଇଥିଲା । କିନ୍ତୁ ସେତେବେଳେ ହୋଇଥିବା କ୍ଷତିର ପ୍ରମୁଖ କାରଣ ଥିଲା ଆଗ୍ନେୟଗିରି । ଗୋଟିଏ ଆଗ୍ନେୟଗିରିର ବିସ୍ପୋରଣ କେତେ ଯେ ଭୟଙ୍କର ହୋଇ ପାରେ ତାର ଅନୁମାନ ଲଗାଇବା ସହଜ ନୁହେଁ ।

ତେବେ ଅତୀତର ସେହି ଘଟଣା ଆଗାମୀ ସମୟରେ ମଧ୍ୟ ଘଟି ପାରେ । ଏହାକୁ ନେଇ ବଶେଷଜ୍ଞମାନେ ଚେତାଇ ଦେଇଛନ୍ତି କି ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ଲୋକେ ବିଲକୁଲ ବି ପ୍ରସ୍ତୁତ ନୁହନ୍ତି । ଯାହା ବେଶ ଚିନ୍ତାଜନକ । କାରଣ ବିଶାଳ ଆଗ୍ନେୟଗିରି ବିସ୍ପୋରଣକୁ ସାମନା କରିବା ପାଇଁ ପ୍ରଥମେ ସଚେତନ ହେବା ଦରକାର ।

ଆଗ୍ନେୟଗିରି କେତେଯେ ବିପଜ୍ଜନକ ତାକୁ ବୁଝାଇବା ସହଜ ନୁହେଁ । ଆଉ ତାର ପ୍ରଭାବ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଆଜି ଯାଏଁ ଯେତୋଟି ବି ମହାବିନାଶ ପୃଥିବୀ ପୃଷ୍ଠରେ ଘଟିଛି ସେସବୁ ଘଟଣା ସହ ଆଗ୍ନେୟଗିରିର ସମ୍ବନ୍ଧ ନିଶ୍ଚୟ ରହିଛି । ଲକ୍ଷ ଲକ୍ଷ କୋଟି କୋଟି ବର୍ଷରୁ ଜମି ରହିଥିବା ମାଗମା ପଦାକୁ ବାହାରିଥାଏ ବିଶାଳ ଜ୍ୱାଳାମୁଖୀ ହୋଇ । ଆଉ ଖୁବ୍‌ ଘାତକ ଏବଂ ବିଧ୍ୱଂସକାରୀ ହୋଇଥାଏ ।

ତେବେ ଆଗ୍ନେୟଗିରି ଉଦଗୀରଣ ଏତେ ଭୟଙ୍କର ହୋଇଥିଲେ ମଧ୍ୟ ବର୍ତ୍ତମାନର ମଣିଷ ସମାଜ ଏହି ବଡ ବିପତ୍ତି ପାଇଁ ଜମାରୁ ପ୍ରସ୍ତୁତ ନୁହେଁ । ବୈଜ୍ଞାନିକମାନେ ଏ ନେଇ ଏବେ ଚେତାଇ ଦେଇଛନ୍ତି । ଆଉ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି । ତେଣୁ ଆଗାମୀ ବିପଦ ପାଇଁ କିଭଳି ଏ ମଣିଷ ସମାଜ ପ୍ରସ୍ତୁତ ରହିବ ସେ ଦିଗରେ ଗୁରୁତ୍ୱର ସହ କାମ କରିବାକୁ ସେମାନେ କହିଛନ୍ତି । ସେମାନଙ୍କର କହିବା କଥା, ଏହାକୁ ନେଇ ବ୍ୟାପକ ଜନ ସଚେତନତା କରାଯିବା ସହ ଲୋକଙ୍କୁ ଏ ସମ୍ପର୍କିତ ତାଲିମ ଦିଆଯିବା ଉଚିତ ।

ଏମିତିକି ବିଶେଷଜ୍ଞଙ୍କର ଆହୁରି ବି କହିବା କଥା କି ଏହି ବିସ୍ପୋରଣରୁ ବାହାରିବା ପାଇଁ ସମସ୍ତ ବ୍ୟବସ୍ଥା ବହୁ ଆଗରୁ ହେବା ଦରକାର । କାରଣ ପୂର୍ବରୁ ବହୁତ ବିଳମ୍ବ ହୋଇ ସାରିଛି । ଜଣେ ଗବେଷକଙ୍କ କହିବା କଥା କି ବରଫରେ ଲୁଚି ରହିଥିବା ଆଗ୍ନେୟଗିରି ଅଧିକ ତୀବ୍ରତା ସହ ବିସ୍ପୋରଣ ହେବ । ଇତିହାସ ଅନୁସାରେ ଏହିଭଳି ବଡ଼ ଧରଣର ବିସ୍ପୋରଣ ଜଳବାୟୁ ପରିବର୍ତ୍ତନ କରିବା ସହ ସଭ୍ୟତାକୁ ଶେଷ କରିବାର ମୁଖ୍ୟ କାରଣ ପାଲଟିଛି । ତେଣୁ ଏହା କେତେଦୂର ବିପଜ୍ଜନକ, ଏଇଥିରୁ ବୁଝି ହେବ ।

ଯେମିତି ପୃଥିବୀ ସହ ଏକ କ୍ଷୁଦ୍ର ଗ୍ରହ ଧକ୍କା ଲାଗିଲେ ଯେଉଁ ସ୍ଥିତି ଉପୁଜେ ଠିକ୍‌ ସେମିତି ଏକ ଆଗ୍ନେୟଗିରି ଉଦଗିରଣ ହେଲେ ସେହି ଭଳ ପ୍ରଭାବ ପକାଏ । ତେଣୁ କେବଳ ସାଧାରଣ ଜନତା ଓ ଗୁଗଲ ଟ୍ରେଣ୍ଡ ହିଁ ଏଭଳି ଖବର ପ୍ରତି ସଜାଗ ରହିଛନ୍ତି ତାହା ନୁହେଁ, ବରଂ ଦୁନିଆର ଅନେକ ସରକାର ମଧ୍ୟ ଏଭଳି ଖବର ଉପରେ ଦୃଷ୍ଟି ରଖୁଥିବା ଦେଖା ଯାଇଛି । କାରଣ ଏକ ଅତି ଭୟଙ୍କର ଜ୍ୱାଳାମୁଖୀ ବିସ୍ଫୋରଣ ତୁଳନା କ୍ଷୁଦ୍ରଗ୍ରହ ସହ କରାଯାଇପାରେ । ଅନୁସନ୍ଧାନକାରୀଙ୍କର କହିବା କଥା କି କ୍ଷୁଦ୍ର ଗ୍ରହର ବିପଦରୁ ବାହାରିବା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରାଯାଉଛି । କିନ୍ତୁ ଆଗ୍ନେୟଗିରି ବିସ୍ଫୋରଣର ସାମନା କରିବା ପାଇଁ କୌଣସି ପ୍ରକାର ଯୋଜନା ଦେଖା ଯାଉନାହିଁ ।

ଚଳିତ ବର୍ଷ ପ୍ରାରମ୍ଭରେ ଟୋଙ୍ଗାରେ ଥିବା ଆଗ୍ନେୟଗିରି ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଜ୍ୱାଳାମୁଖୀ ମଧ୍ୟରେ ସବୁଠୁ ତୀବ୍ର ଓ ଘାତକ ସାବ୍ୟସ୍ତ ହୋଇଛି । କିନ୍ତୁ ଗବେଷକମାନେ ଏହାକୁ ମାର୍କିଂ କରି କହିଛନ୍ତି କି ଏହି ବିସ୍ଫୋରଣ ଯଦି ଭୂମଧ୍ୟସାଗର ଭଳି ଅଞ୍ଚଳରେ ହୋଇଥାନ୍ତା ତେବେ ତାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଥାନ୍ତା । ଖାଲି ଏତିକି ନୁହେଁ ଯଦି ଏହି ଆଗ୍ନେୟଗିରି ଲମ୍ବା ସମୟ ଯାଏଁ ଲାଭା ଉଗାଳିଥାନ୍ତା ତେବେ ଏହା ଆହୁରି ଅଧିକ ଘାତକ ସାବ୍ୟସ୍ତ ହୋଇଥାନ୍ତା । କହିବା କଥା କି ଟୋଙ୍ଗା ଉଦଗୀରଣକୁ ଏକ ଚେତାବନୀ ବୋଲି ମନେ କରିବା ଉଚିତ । ପୂର୍ବରୁ ମଧ୍ୟ ଆଉ ଏକ ବିନାଶକାରୀ ବିସ୍ପୋରଣ ୧୮୧୫ ମସିହାରେ ଇଣ୍ଡୋନେସିଆରେ ହୋଇଥିଲା । ଯେଉଁଥିରେ ପ୍ରାୟ ୧ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ଆମର ବଢୁଥିବା ଜନସଂଖ୍ୟା ଉପରେ ଏହିଭଳି ବିପଦ ନିଶ୍ଚୟ ଅତ୍ୟନ୍ତ ଚିନ୍ତାଜନକ । ଏଥିରେ ବି ମହାମାରୀ ଭଳି ଭୀଷଣ ଆର୍ଥିକ କ୍ଷତି ହେବ । ତେଣୁ ଏମିତି ବିପଦ ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି ନିଶ୍ଚୟ । ଆଶା କରିବା ଆଉ ପ୍ରାର୍ଥନା କରିବା କି ଏଭଳି ସ୍ଥିତି କେବେ ନଉପୁଜୁ । ଆଉ ଯଦି ହୁଏ ତ ତାକୁ କେହି ରୋକି ପାରିବେନି । ତେବେ ପୂର୍ବରୁ ପ୍ରସ୍ତୁତି କରିଥିଲେ, ସମସ୍ୟାକୁ ଅନେକାଂଶରେ କମ୍‌ କରି ହେବ ।

ଦର୍ଶକ ବନ୍ଧୁ, ଅତୀତ କେବେ ମୃତ ନୁହେଁ । ଏହାର ପ୍ରତ୍ୟେକ ଘଟଣା ଆମକୁ କିଛି ନା କିଛି ଶିକ୍ଷା ଦେଇଥାଏ । ତେଣୁ ଆଗ୍ନେୟଗିରି ସମସ୍ୟାକୁ କେହି ବି ହାଲକା ଭାବେ ନିଅନ୍ତୁ ନାହିଁ । ନହେଲେ ଠିକଣା ବେଳକୁ ପରିସ୍ଥିତିର ସାମନା କରିବା ପାଇଁ ଆମେ କେହି ନଥିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.