ଅଗଷ୍ଟ ୨୩ କୁ ବୃଦ୍ଧି ହେଲା ଚଳିତ ଖରୀପ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚଳିତ ଖରୀପ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜୀକରଣସମୟସୀମା ବୃଦ୍ଧି କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସମୟ ସୀମା ୧୬ ତାରିଖ ରହିଥିଲା । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁରୋଧ କ୍ରମେ ବିଭାଗ ପଞ୍ଜୀକରଣ ସମୟସୀମାକୁ ଅଗଷ୍ଟ ୨୩ ତାରିଖକୁ ବୃଦ୍ଧି କରିଛି ।

ଆଜି ଏହି ମର୍ମରେ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ସମ୍ପୃକ୍ତ ପ୍ୟାକ୍ସ/ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ମାଧ୍ୟମରେ ବର୍ଦ୍ଧିତ ସମୟସୀମା ସମ୍ପର୍କର ଚାଷୀମାନଙ୍କୁ ଅବଗତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ସମବାୟ ସମୂହର ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯାଇଛି ।

ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରି ପାରିନାହାଁନ୍ତି ସେମାନେ ଏହାଦ୍ୱାରା ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀମାନେ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ ନେଇ ନିକଟସ୍ଥ ସୋସାଇଟିକୁ ଯାଇ ପଞ୍ଜୀକରଣ କରାଇ ନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.