ଜାପାନ ନୌସେନାର ୨ ହେଲିକପ୍ଟର ପ୍ରଶାନ୍ତ ମହାସାଗରରେ କ୍ରାସ୍, ଜଣେ ମୃତ, ୭ ନିଖୋଜ
ପ୍ରଶାନ୍ତ ମହାସାଗରରେ କ୍ରାସ୍ ହୋଇଛି ଜାପାନ ନୌସେନାର ଦୁଇଟି ହେଲିକପ୍ଟର । ଏହି ହେଲିକପ୍ଟର ଦୁଇଟିରେ ଚାଳକ ଦଳର ୮ ଜଣ ସଦସ୍ୟ ଥିଲେ ।

ପ୍ରଶାନ୍ତ ମହାସାଗରରେ କ୍ରାସ୍ ହୋଇଛି ଜାପାନ ନୌସେନାର ଦୁଇଟି ହେଲିକପ୍ଟର । ଏହି ହେଲିକପ୍ଟର ଦୁଇଟିରେ ଚାଳକ ଦଳର ୮ ଜଣ ସଦସ୍ୟ ଥିଲେ । ଟୋକିଓର ଦକ୍ଷିଣରେ ହେଲିକପ୍ଟର ଦ୍ୱୟ ରାତି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ଦଳର ଜଣେ ସଦସ୍ୟଙ୍କ ମୃତଦେହକୁ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ବେଳେ ବାକି ୭ ଜଣ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଖୋଜି ଚାଲିଛି ।
ଜାପାନ ପ୍ରତିରକ୍ଷା ମନ୍ତ୍ରୀ ମାଇନୋରୁ କିହାରା ଗଣମାଧ୍ୟମକୁ କହିଛନ୍ତି ଯେ ମେରିଟାଇମ୍ ସେଲ୍ଫ ଡିଫେନ୍ସ ଫୋର୍ସର ଦୁଇଟି ଏସ୍ଏଚ୍-60କେ ହେଲିକପ୍ଟର ଚାଳକ ଦଳର ୪ ଜଣ ଲେଖାଏ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା । ଶନିବାର ବିଳମ୍ବିତ ରାତିରେ ଟୋକିଓରୁ ପାଖାପାଖି ୬୦୦ କିଲୋମିଟର (୩୭୦ ମାଇଲ୍) ଦକ୍ଷିଣରେ ତୋରିସୀମା ଦ୍ୱୀପ ନିକଟରେ ସେମାନଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
ସେ କହିଛନ୍ତି ଯେ ଦୁର୍ଘଟଣାର କାରଣ ବିଷୟରେ କିଛି ଜଣାପଡ଼ି ନାହିଁ, କିନ୍ତୁ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଦୁଇଟି ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର କର୍ମୀମାନେ ଏକ ଉଡ଼ାଣ ଡାଟା ରେକର୍ଡର, ହେଲିକପ୍ଟରରୁ ଏକ ବ୍ଲେଡ୍ ଏବଂ ଗୋଟିଏ ହିଁ ସ୍ଥାନରୁ ଦୁଇଟି ହେଲିକପ୍ଟରର ଭଗ୍ନାବଶେଷ ଜବତ କରିଛନ୍ତି । ତେଣୁ ଏଥିରୁ ସଙ୍କେତ ମିଳୁଛି କି, ଦୁଇଟି ଏସ୍ଏଚ୍-60କେ ହେଲିକପ୍ଟର ପରସ୍ପର ନିକଟରେ ଉଡ଼ୁଥିଲେ । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ଉଡ଼ାଣ ଡାଟାର ବିଶ୍ଳେଷଣ କରିବେ ।
ସେପଟେ ଚାଳକ ଦଳର ନିଖୋଜ ସଦସ୍ୟମାନଙ୍କ ପତ୍ତା ଲଗାଇବା ଏବଂ ସେମାନଙ୍କୁ ଉଦ୍ଧାର ପାଇଁ ୮ ଯୁଦ୍ଧପୋତ ଓ ୫ ବିମାନକୁ ନିୟୋଜିତ କରାଯାଇଛି । ସିକୋରସ୍କି ଦ୍ୱାରା ଡିଜାଇନ୍ ହୋଇଥିବା ତଥା ସିହକ୍ ନାଁରେ ଜଣାଯାଉଥିବା ଏହି ହେଲିକପ୍ଟର ଡବଲ୍ ଇଞ୍ଜିନ ବିଶିଷ୍ଟ ଥିଲା । ଏସ୍ଏଚ୍-60କେ ସାଧାରଣତଃ ବୁଡ଼ାଜାହାଜ ନିରୋଧୀ ଯୁଦ୍ଧ ପାଇଁ ବିନାଶକାରୀ ରୂପେ ନିୟୋଜିତ ହୋଇଥାଏ, କିନ୍ତୁ ଏହାକୁ ସନ୍ଧାନ, ଉଦ୍ଧାର ଏବଂ ଅନ୍ୟାନ୍ୟ ଅଭିଯାନ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।