Below header

ଅନ୍ତର୍ଜାତୀୟ ସ୍ତରରେ ପୁଣି କିଟ୍‌କୁ ସମ୍ମାନ, ମିଳିଲା ଇଣ୍ଟରନ୍ୟାସନାଲାଇଜେସନ୍‌ ଷ୍ଟ୍ରାଟେଜିଜ୍‌ ଆଡଭାଇଜରୀ ସର୍ଭିସ୍‌ ବ୍ୟାଜ୍‌

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଛି ସମ୍ମାନଜନକ ଇଣ୍ଟରନ୍ୟାସନାଲାଇଜେସନ୍‌ ଷ୍ଟ୍ରାଟେଜିଜ୍‌ ଆଡଭାଇଜରୀ ସର୍ଭିସ୍‌ ବ୍ୟାଜ୍‌। ନଭେମ୍ବର ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ମେକ୍‌ସିକୋର ପୁବେଲାଠାରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସଂଘ ଆଇଏୟୁ ପକ୍ଷରୁ ‘ଟ୍ରାନ୍‌ଫର୍‌ମିଂ ହାଇଅର୍‌ ଏଜୁକେସନ୍‌ ଫର୍‌ ଦି ଫ୍ୟୁଚର୍‌’ ଉପରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ବ୍ୟାଜ୍‌ ପ୍ରଦାନ କରାଯାଇଛି। ଶିକ୍ଷା ଜରିଆରେ ଆନ୍ତର୍ଜାତିକ କ୍ଷେତ୍ରରେ ସଫଳତା ହାସଲ କରି ମାଇଲଷ୍ଟୋନ୍‌ ତିଆରି କରିଥିବା ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଥାଏ।

 

ଏଭଳି ସମ୍ମାନଜନକ ଆନ୍ତର୍ଜାତିକ ମାନ୍ୟତା ପାଇବାରେ କିଟ୍‌ ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି। ଉପଯୁକ୍ତ ଯୋଜନା ଓ ରଣନୀତି ଭିତ୍ତିରେ ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ଆସୁଥିବା କିଟ୍‌ ବିଶ୍ୱବିଦ୍ୟାଳୟକୁ ଆଇଏୟୁ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଆଇଏୟୁର ସଭାପତି ପାମ୍‌ ଫ୍ରେଡମ୍ୟାନ୍‌ ଏବଂ ଏହାର ପ୍ରାକ୍ତନ ମହାସଚିବ ଇଭା ଏଗରନ୍‌ ପୋଲକଙ୍କ ଉପସ୍ଥିତିରେ କିଟ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କିଟ୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ। ଯେଉଁସବୁ ଅନୁଷ୍ଠାନ ସମୟ, ପ୍ରୟାସ ଓ ସମ୍ବଳ ଉପଯୋଗ କରି ଶିକ୍ଷାର ଅନ୍ତର୍ଜାତୀୟକରଣ ପାଇଁ ଆବଶ୍ୟକ ହେଉଥିବା ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ପରିବର୍ତ୍ତନ କରି ଆସୁଥିବେ, ସେହିସବୁ ଅନୁଷ୍ଠାନ ଏହି ବ୍ୟାଜ୍‌ ପାଇବା ପାଇଁ ମନୋନୀତ ହୋଇଥାଆନ୍ତି।

ଏହା ବ୍ୟତୀତ ଅନ୍ତର୍ଜାତୀୟକରଣ ଜରିଆରେ ଶିକ୍ଷାଦାନ, ଗବେଷଣା ଏବଂ ସହଭାଗିତାକୁ ବୃଦ୍ଧି କରିବା ଦିଗରେ ଅନୁଷ୍ଠାନର ଉପ୍‌ଲବ୍ଧିକୁ ମଧ୍ୟ ମାନ୍ୟତା ଦିଆଯାଇଥାଏ। ଖବରରେ ସନ୍ତୋଷ ବ୍ୟକ୍ତ କରି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‌ ମଧ୍ୟ ପ୍ରାରମ୍ଭରୁ ନିଜସ୍ତରରେ ଏବଂ ଆନ୍ତର୍ଜାତୀୟସ୍ତରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବାରୁ ଏଭଳି ଆନ୍ତର୍ଜାତିକ ସମ୍ମାନ ମିଳିବା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ କିଟ୍‌ରେ ଅଧ୍ୟୟନରତ ଇଣ୍ଟରନ୍ୟାସନାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ୩ ବର୍ଷ ତଳେ ଏକ ପ୍ରତିନିଧିମଣ୍ଡଳ ସହ ଆଇଏୟୁର ମହାସଚିବ କିଟ୍‌ରେ ଦୀର୍ଘ ୬ଦିନ ରହି କିଟ୍‌ର କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିବା ସହ କିଟ୍‌ ବିଶ୍ୱ ବିଦ୍ୟାଳୟ କର୍ତ୍ତପକ୍ଷଙ୍କ ସହ ଆଲୋଚନା କରିଥିଲେ। ୩ ବର୍ଷ ପରେ ସେ ଦେଇଥିବା ରିପୋର୍ଟ ଅନୁସାରେ କିଟ୍‌କୁ ଏହି ବ୍ୟାଜ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.