କିସ୍ ଓ ଚଏସ୍ ୱେଲଫେୟାର ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା, ମୁମ୍ବାଇରେ ଖୋଲିବ କିସ୍ ଆବାସିକ ବିଦ୍ୟାଳୟ

ଭୁବନେଶ୍ୱର(କେନ୍ୟୁଜ) : କିସ୍ ଓ ଚଏସ୍ ୱେଲଫେୟାର ଫାଉଣ୍ଡେସନ୍ ମଧ୍ୟରେ ହୋଇଛି ବୁଝାମଣା। ଦିଲ୍ଲୀ ଓ କୋଲକାତା ପରେ ମୁମ୍ବାଇରେ କିସ୍ ଆବାସିକ ବିଦ୍ୟାଳୟ ଖୋଲିବ। ମୁମ୍ବାଇରେ ଚଏସ୍-କିସ୍ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ନେଇ କିସ୍ ଓ ମୁମ୍ବାଇସ୍ଥିତ ଚଏସ୍ ୱେଲଫେୟାର ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ବୁଝାମଣାପତ୍ରରେ ଚଏସ୍ ୱେଲଫେୟାର ଫାଉଣ୍ଡେସନ୍ ପକ୍ଷରୁ ଏହାର ଅଧ୍ୟକ୍ଷ ସୁନୀଲ ପାଟୋଡ଼ିଆ ଏବଂ କିସ୍ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିଲେ। ବହୁବର୍ଷ ଧରି ଶ୍ରୀ ପାଟୋଡ଼ିଆ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ଜଣେ ଶୁଭେଚ୍ଛୁ ହୋଇ ରହିଥିବା ବେଳେ ମୁମ୍ବାଇରେ କିସ୍ର ଏକ ଶାଖା ପ୍ରତିଷ୍ଠା ପାଇଁ ସର୍ବଦା ଆଗ୍ରହ ପ୍ରକାଶ କରି ଆସୁଥିଲେ।
ମୁମ୍ବାଇ ସହର ପାଖାପାଖି ଅଞ୍ଚଳରେ ଶ୍ରୀ ପାଟୋଡ଼ିଆ ଚଏସ୍-କିସ୍ ପାଇଁ ୨୫ ଏକର ଜମି ବ୍ୟବସ୍ଥା କରିସାରିଥିବା ବେଳେ ଭିତ୍ତିଭୂମି ନିର୍ମାଣ ପାଇଁ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରିସାରିଛନ୍ତି। ଚଏସ୍-କିସ୍ ଭିତ୍ତିଭୂମି ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ଚଏସ୍-ୱେଲଫେୟାର ଫାଉଣ୍ଡେସନ୍ ବହନ କରିବ। ଚଏସ୍-କିସରେ ଗରିବ, ଅବହେଳିତ ଓ ଜନଜାତି ବର୍ଗର ପିଲାମାନଙ୍କୁ ବିନାଦେୟରେ କିସ୍ ଢାଞ୍ଚାରେ ଶିକ୍ଷା ପ୍ରଦାନ କରାଯିବ।
ଆଗାମୀ ବର୍ଷକ ମଧ୍ୟରେ ଚଏସ୍-କିସ୍ କାର୍ଯ୍ୟ କରିବ। ଏହି ଅବସରରେ ଶ୍ରୀ ପାଟୋଡ଼ିଆ କହିଥିଲେ, ଡ. ସାମନ୍ତଙ୍କୁ ସେ ନିଜର ଆଦର୍ଶ ଭାବେ ମାନି ଆସୁଛନ୍ତି। ଡ. ସାମନ୍ତ କେବଳ ମୋ ପାଇଁ ଆମ ସମସ୍ତଙ୍କ ପାଇଁ ରୋଲ୍ ମଡେଲ୍ ବୋଲି ସେ କହିଥିଲେ। ୫ବର୍ଷ ତଳେ ମୁମ୍ବାଇରେ କିସ୍ ପ୍ରତିଷ୍ଠା ପାଇଁ ସେ ସ୍ୱପ୍ନ ଦେଖିଥିଲେ। ଆଜି ତାଙ୍କର ସ୍ୱପ୍ନ ସାକାର ହୋଇଛି ଏବଂ କିସ୍ ଓ ଚଏସ୍ ୱେଲଫେୟାର ଫାଉଣ୍ଡେସନ୍ ମିଳିତ ଭାବେ ସମାଜ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଥିଲେ।
କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ସାମନ୍ତ ନିଜ ପ୍ରତିକ୍ରିୟାରେ କହିଲେ, କିସ୍ ମଡେଲକୁ ଏବେ ସମସ୍ତେ ଏକ ସଫଳ ମଡ଼େଲ ଭାବେ ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି। ୨୦୧୩ ମସିହାରୁ କିସ୍-ଦିଲ୍ଲୀ କାର୍ଯ୍ୟ କରୁଥିବା ବେଳେ କୋଲକାତାରେ ହେଲ୍ପ ଅସ୍ ହେଲ୍ପ ଦେମ୍ ସଂଗଠନ ସହଯୋଗରେ କିସ୍ର ଏକ ଶାଖା ପ୍ରତିଷ୍ଠା ହୋଇଛି। ଏହାର ସମସ୍ତ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ମୁମ୍ବାଇରେ ଚଏସ୍-କିସ୍ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି।
ଦେଶର ତିନୋଟି ବୃହତ ମହାନଗରରେ କିସ୍ ପ୍ରତିଷ୍ଠା ହୋଇପାରିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଡ. ସାମନ୍ତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଜ୍ମେରା ପ୍ରପର୍ଟିଜ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୀର୍ତ୍ତି ଆଜ୍ମେରା, ରୁଚିରା ଏକ୍ସପୋର୍ଟର ଅଧ୍ୟକ୍ଷ ପାରସ ଜୈନ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିସ୍ ମହାନିର୍ଦ୍ଦେଶକ କାହ୍ନ ଚରଣ ମାହାଲି ଓ କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।