ସ୍କୁଲରେ ସିଆରସିସିଙ୍କୁ ଗାଳିଗୁଲଜ କଲେ ଶିକ୍ଷୟିତ୍ରୀ, ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଅଫିସର୍
ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଚଣ୍ଡୀ ରୂପ। ସ୍କୁଲ ଭିତରେ ଚେୟାର ବସି ସିଆରସିସିଙ୍କୁ ଧମକ ଦେଉଛନ୍ତି ଶିକ୍ଷୟିତ୍ରୀ। ଖାଲି ଧମକ ନୁହେଁ ଅଭଦ୍ର ଭାବେ ଗାଳିଗୁଲଜ ବି କରୁଛନ୍ତି। ବିଦ୍ୟା ମନ୍ଦିରରେ ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀ ଶୁଣାଉଛନ୍ତି ଅଭଦ୍ରର ସ୍ୱର। କିନ୍ତୁ ମ୍ୟାଡମ କଣ ଜାଣିଛନ୍ତି ତାଙ୍କର ଏ ରୁବାବ କ୍ୟାମେରାରେ ରେକର୍ଡ଼ିଂ ହେଉଛି ବୋଲି? କୁହାଯାଏ ଜୀବନର ପ୍ରଥମ ଗୁରୁ ହେଉଛନ୍ତି ମାଆ। ଆଉ ତାପରେ ଦ୍ୱିତୀୟରେ ଯଦି ଆମେ ଗୁରୁ ବୋଲି କହୁଛନ୍ତି ସେ ହେଲେ ଶିକ୍ଷକ। ସେଇଥି ପାଇଁ ତ କଥାରେ ଅଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର…। ହେଲେ ଏଠି ଏମିତି ଜଣେ ଗୁରୁ ଅଛନ୍ତି ଯିଏକି ବିଦ୍ୟାଳୟ କକ୍ଷ ଭିତରେ ନିଜ ଉପରିସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତାର ସବୁ ସୀମା ପାର କରିଦେଲେ। ଅଶୋଭନୀୟ ଆଚରଣ କରିବା ସହିତ ଚପଲରେ ବାଡ଼େଇବାକୁ କହିଲେ ଶିକ୍ଷୟିତ୍ରୀ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।
ଆପଣ ଦେଖୁଥିବା ଏ ଚିତ୍ର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ଦକ୍ଷିଣଦିଆ ପ୍ରାଥମିକ ବିଦ୍ୟାଳୟ। ଯେଉଁଠି ଜଣେ କାର୍ଯ୍ୟରତ ସହକାରୀ ଶିକ୍ଷୟିତ୍ରୀ ନିରୁପମା ମାନସିଂ ଏଭଳି କହୁଥିବା ଅଭିଯୋଗ ହୋଇଛି । ଗତ ୨୫ ତାରିଖ ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିଵା ଅଭିଯୋଗ ନେଇ ତାଙ୍କର ଉପରିସ୍ଥ ଅଧିକାରୀ ସିଆରସିସି ବିଶ୍ୱରଂଜନ ଦାଶ ବିଇଓ ବା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ପରେ ବ୍ଲକ ଶିକ୍ଷା ଅଧିକାରୀ ଏନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ବାସ୍ ଏତିକିରେ ଗୁରୁ ମା ରାଗିକି ପାଚିଗଲେ ଆଉ ଏକଦମ୍ ଝାଡ଼ି ଦେଇଗଲେ ଭାଷା ଅଭାଷାରେ । ସେ ବିଦ୍ୟାଳୟ କକ୍ଷ ମଧ୍ୟରେ ସିଆରସିସିଙ୍କୁ ଗାଳି ଗୁଲଜ କରିବା ସହିତ ବ୍ଲକ ସହକାରୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଚପଲରେ ମାରିବାକୁ କହୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ।
ଅନ୍ୟପଟେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରି ପଟ୍ଟାମୁଣ୍ଡାଇରେ କାର୍ଯ୍ୟରତ ୧୭ଜଣ ସିଆରସିସି ପଟ୍ଟାମୁଣ୍ଡାଇ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସମସ୍ତ ସିଆରସିସି କାର୍ଯ୍ୟ ବନ୍ଦ କରିଦେବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ମଧ୍ୟ ଦାବିପତ୍ର ଗ୍ରହଣ କରିବା ସହ ଖୁବ ଶୀଘ୍ର ଏହାର ତଦନ୍ତ କରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଘଟଣାକୁ ନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଶିକ୍ଷୟିତ୍ରା ଜଣକ।