Below header

ପାଠ ପଢ଼ିବା ପାଇଁ ଅଣ୍ଟେ ଅଣ୍ଟେ ପାଣି ପାର କରୁଛନ୍ତି କୁନି କୁନି ପିଲା, କିନ୍ତୁ ସୁଧୁରୁନି ସମସ୍ୟା

ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତର ମାଳତୀ ଗୋଛାପଡା ଏବଂ ମୁଡ୍ଡିପଡାବାସୀଙ୍କୁ ବର୍ଷ ବର୍ଷ ଧରି ଦୁଃଖ ଦେଇ ଆସୁଛି ଗାଁଦେଇ ଯାଇଥିବା କେରାଣ୍ଡି ନାଳ । ବର୍ଷା ଦିନ ଆସିଲେ ଗାଁ ଲୋକଙ୍କ ସମସ୍ୟା ଦୁଇ ଗୁଣ ବଢ଼ି ଯାଏ ।

ଘୋ ଘୋ ରାଣୀ ଅଣ୍ଟେ ଅଣ୍ଟେ ପାଣି । କୁନି କୁନି ପିଲାମାନେ ଏହି ଖେଳ ଖେଳୁଥିବା ତ ଆପଣମାନେ ଜାଣିଥିବେ । ଏ ଖେଳ ହୁଏତ ବହୁତ ପୁରୁଣା ହୋଇ ଗଲାଣି । କିନ୍ତୁ ଏଭଳି କିଛି ବାସ୍ତବ ଘଟଣା ସାମ୍ନାକୁ ଆସିଛି । ନାଳ ସାଜିଛି ସମସ୍ତଙ୍କ ପାଇଁ କାଳ । କି ଖରା କି ବର୍ଷା ସବୁଦିନେ ନାଳ ହିଁ ସମସ୍ତଙ୍କ ପାଇଁ ପ୍ରତିବନ୍ଧକ । ଫଳରେ ପିଲାଙ୍କ ପାଠ ପଢା ହେଉକି ଆବଶ୍ୟକ ସମୟରେ ଗାଁକୁ ଆମ୍ବୁଲାନ୍ସ ଆସିବା ହେଉ ସବୁଥିରେ ବାଧକ ସାଜୁଛି ଏହି ନାଳ । ତେବେ ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି । ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତର ମାଳତୀ ଗୋଛାପଡା ଏବଂ ମୁଡ୍ଡିପଡାବାସୀଙ୍କୁ ବର୍ଷ ବର୍ଷ ଧରି ଦୁଃଖ ଦେଇ ଆସୁଛି ଗାଁଦେଇ ଯାଇଥିବା କେରାଣ୍ଡି ନାଳ । ବର୍ଷା ଦିନ ଆସିଲେ ଗାଁ ଲୋକଙ୍କ ସମସ୍ୟା ଦୁଇ ଗୁଣ ବଢ଼ି ଯାଏ ।

କୁନି କୁନି ପିଲାମାନେ ଗୋଟିଏ ହାତରେ ମୁଣ୍ଡ ଉପରେ ବ୍ୟାଗକୁ ରଖିଥିବା ବେଳେ ଅନ୍ୟ ହାତରେ ସ୍କୁଲ ଡ୍ରେସକୁ ଟେକି ଧରି ନାଳ ପାର କରୁଛନ୍ତି । ସ୍କୁଲ ଶିକ୍ଷକମାନେ ପିଲାଙ୍କୁ ନାଳ ପାରି ହେବା ଯାଏ ଜଗି ରୁହନ୍ତି । କଣ ପ୍ରଶାସନ ଆଖିକୁ ଏସବୁ ଦିଶୁ ନାହିଁ ? ଏଭଳି ବିପଜ୍ଜନକ ଭାବେ ନାଳ ପାରି ହେଉଥିବା ବେଳେ ଯଦି କିଛି ଦୁର୍ଘଟଣା ଘଟେ ତେବେ ଦାୟୀ ହେବ କିଏ ? ଗାଁ ମଝି ଦେଇ ଯାଇଥିବା ଏହି ନାଳରେ ଏବେ ବନ୍ୟାପାଣି ବହି ଯାଉଛି । ସେପଟେ ଅନ୍ୟ ଉପାୟ ନଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ଏଭଳି ଭାବେ ସ୍କୁଲ ପଠାଇବାକୁ ବାଧ୍ୟ ହେଉଛନ୍ତି ।

କେବଳ ପିଲାଙ୍କ ପାଇଁ ଏହି ନାଳ କାଳ ସାଜିଛି ତାହା ନୁହେଁ । ଗାଁର ରୋଗୀ ଓ ଗର୍ଭବତୀ ମହିଳାମାନେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ମୁଡ୍ଡିପଡା ପଟରେ ୮ରୁ ଅଧିକ ଗାଁ ରହିଛି । ଏହି ନାଳ ପାରି ହୋଇ ସେମାନଙ୍କୁ ସ୍କୁଲ,କଲେଜଠୁ ଆରମ୍ଭକରି ପଞ୍ଚାୟତ ଏବଂ ବ୍ଲକ ସଦର ମହକୁମାକୁ ଯିବାକୁ ପଡେ । ବିଶେଷ କରି ଏହି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ରୋଗୀକୁ ଖଟିଆରେ ବୋହି ନାଳ ପାରି କରିଥାନ୍ତି ଗାଁ ଲୋକେ । ସେହିଭଳି ଏହି ଅଞ୍ଚଳର ରାସ୍ତା ଅବସ୍ଥା ବି ଶୋଚନୀୟ ।

ରାସ୍ତା ହେଉ କି ପୋଲ, ସବୁ କିଛି ସୁବିଧା ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ସରକାରଙ୍କର ଯୋଜନା ରହିଛି । ହେଲେ ସେହି ଯୋଜନା ସବୁ ଏଠାରେ କାର୍ଯ୍ୟକାରୀ ହେଉନି କାହିଁକି ? ନାଳ ଉପରେ ଗୋଟିଏ ସେତୁ ଏବଂ ଭଲ ରାସ୍ତା ନିର୍ମାଣ ହୋଇ ଗଲେ ଗ୍ରାମବାସୀଙ୍କ ସମସ୍ୟା ଦୂରେଇ ଯାଆନ୍ତା । ଏନେଇ ବୌଦ୍ଧ ବିଡିଓ କହିଛନ୍ତି ସରକାରୀ ବିଧି ବ୍ୟବସ୍ଥାରେ ସବୁ କିଛି କରାଯିବ । ହେଲେ ଖାଲି କଥା ନୁହେଁ କାମ ଜରୁରୀ ଏବଂ ସମାଧାନର ବାଟ ଫାଇଲ୍‌ ଭିତରେ ଯେମିତି ଅଟକି ନଯାଏ ସେଥିପ୍ରତି କେବଳ ବିଡିଓ ନୁହନ୍ତି ସରପଞ୍ଚ ଠାରୁ ଆରମ୍ଭ କରି ସ୍ଥାନୀୟ ନେତୃବର୍ଗ ଦୃଷ୍ଟି ଦେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.