Below header

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲାରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ । ହାଇକୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବାକୁ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ଭିଜିଲାନ୍ସ ନୁହେଁ ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖା ତଦନ୍ତ କରିବ ବୋଲି ହାଇକୋର୍ଟ ଫେବୃଆରୀ ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତକାରୀ ଶାଖାର ପ୍ରାଥମିକ ତଦନ୍ତ ରିପୋର୍ଟ ପାଇବା ପରେ ଲୋକାୟୁକ୍ତ ଏସମ୍ପର୍କିତ ପରବର୍ତ୍ତୀ ଅଗ୍ରଗତି କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ । ଓଡିଶା ଲୋକାୟୁକ୍ତ ଡିସେମ୍ବର ୧୧ରେ ଭିଜିଲାନ୍ସ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶନାମାକୁ ଖାରଜ କରିଥିଲେ ହାଇକୋର୍ଟ ।

ବିଧାୟକ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଆପାତତ ପ୍ରମାଣ ରହିଛି ବୋଲି ନିର୍ଦ୍ଦେଶନାମାରେ ରହିଥିବା ବେଳେ ତାହାକୁ ଖାରଜ କରିଥିଲେ ହାଇକୋର୍ଟ । ଦୁଇମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟ ମାମଲାର ତଦନ୍ତ ଉପରେ ପୂର୍ଣଛେଦ ପକାଇ ନଥିଲେ । ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୨୦(୨) ଓ ଧାରା ୨୦(୩) ଅନୁଯାୟୀ ଲୋକାୟୁକ୍ତ ଏଭଳି ତଦନ୍ତ କରିପାରିବେ ।

ଭିଜିଲାନ୍ସ ଏହି ମାମଲାର ଆବେଦନକାରୀ ହୋଇଥିବାରୁ ସେହି ସଂସ୍ଥା ତଦନ୍ତ କରିବାକୁ ଯୁକ୍ତି ସଙ୍ଗତ ବୋଲି ଗ୍ରହଣ କରି ନଥିଲେ ହାଇକୋର୍ଟ । ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖା ପ୍ରାଥମିକ ତଦନ୍ତ କରିବା ପରେ ଏହି ତଦନ୍ତରେ ଦୁର୍ନୀତିର ତଥ୍ୟ ପ୍ରମାଣ ମିଳିଲେ ସେ ସମ୍ପର୍କରେ ମାମଲାର ଅଗ୍ରଗତି ହେବ । ଲୋକାୟୁକ୍ତଙ୍କ ଆଦେଶକୁ ଚାଲେଞ୍ଜ କରି ଗୋପଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.