ଶୁଖୁଆକୁ ପୂଜା କରୁଛନ୍ତି ଆଉ ଚା ବିସ୍କୁଟ ବି ଦେଉଛନ୍ତି, ଜାଣନ୍ତୁ ଏହା ପଛର ରହସ୍ୟ

ଚାନ୍ଦବାଲି (କେନ୍ୟୁଜ୍‌) : ଶୁଖୁଆ ବା ଶୁଖା ମାଛ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସାଧାରଣ ଜନ ଜୀବନରେ ବହୁଳ ଭାବେ ବ୍ୟବହୃତ ଏକ ଖାଦ୍ୟ ପଦାର୍ଥ । ଆମିଷ ଭୋଜନ କରୁଥିବା ଲୋକେ ମାଛର ବିକଳ୍ପ ଭାବେ ଶୁଖୁଆ ବ୍ୟବହାର କରିଥାନ୍ତି । ପଖାଳ ଭାତ ସହ ଏହି ଶୁଖୁଆର ରହିଛି ସ୍ୱତନ୍ତ୍ର ସମ୍ପର୍କ। ଏହା ମାଛ ଅପେକ୍ଷା ବହୁତ ଶସ୍ତା । ଓଡ଼ିଶାରେ ବଡ ବଡୁଆ ଲୋକମାନଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଓ କମ ରୋଜଗାର କରୁଥିବା ଲୋକେ ସମସ୍ତେ ଶୁଖୁଆର ସୌଖୀନ । ହେଲେ ଏହି ସୁଆଦ ପଛରେ ଲୁଚି ରହିଛି ଶୁଖୁଆ ସହ ଜଡିତ କିଛି ଲୋକଙ୍କ ହାଡଭଙ୍ଗା ପରିଶ୍ରମ।

ମତ୍ସ୍ୟଜୀବୀମାନେ ଲଞ୍ଚ ଓ ଡଙ୍ଗା ଦ୍ୱାରା ସମୁଦ୍ରରୁ ମାଛ ଧରନ୍ତି । ସେମାନେ ବରଫରେ ମାଛକୁ ରଖି କୂଳକୁ ଆସିଥାନ୍ତି । ମାଛକୁ ବିକ୍ରୟ କରାଗଲା ପରେ କିଛି ମାଛ ପଚିବା ଅବସ୍ଥାରେ ରହିଥାଏ । ତେଣୁ ମାଛ ଧରାଳିମାନେ ବଳକା ମାଛକୁ ଲୁଣପାଣି ଓ କିଛି ରସାୟନିକ ଦ୍ରବଣରେ ବୁଡ଼ାଇ ଦିଅନ୍ତି । ଏହା ମାଛକୁ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରେ । ପରେ ଏହାକୁ ଶୁଖୁଆ ଖଳାରେ ଶୁଖା ଯାଇଥାଏ | ଦୁଇ ଦିନ ଶୁଖାଯିବା ପରେ ଶୁଖୁଆକୁ ପ୍ରକାର ଭେଦ ହିସାବରେ ଅଲଗା କରାଯାଏ । ଶୁଖୁଆର ପ୍ରକାର ଭେଦ ଅନୁସାରେ ଏହାର ଦାମ୍‌ ରହିଛି । କିଲୋ ପିଛା ୩୦ ଟଙ୍କାରୁ ଆରମ୍ଭ କରି ୧ ହଜାର ଟଙ୍କାରେ ବିକ୍ରି କରାଯାଏ ।

ତେବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାର୍କେଟରେ ଜଣେ ଶୁଖୁଆ ବେପାରୀଙ୍କ ବ୍ୟବସାୟ ବିଷୟରେ ଆସନ୍ତୁ ଜାଣିବା । ବ୍ୟବସାୟୀ ଜଣଙ୍କ ହେଉଛନ୍ତି ନୃସିଂହ ଦାସ । ସେ କହିଛନ୍ତି ଯେ ପାଖପାଖି ୬୦ ବର୍ଷ ହେବ ଶୁଖୁଆ ବେପାର କରି ତାଙ୍କ ପରିବାର ପୋଷନ୍ତି । ଦୁଇ ଚାରି ପ୍ରକାରର ଶୁଖୁଆ ନୁହେଁ ବରଂ ୫୨ ପ୍ରକାର ଶୁଖୁଆ ତାଙ୍କ ଦେକାନରେ ମିଳିଥାଏ । ସବୁଠାରୁ ନିଆରା କଥା ହେଉଛି ଏହି ଶୁଖୁଆ ମଧ୍ୟରୁ ଏକ ବଡ଼ ଶୁଖୁଆକୁ ଦୋକାନ ଆଗରେ ଟାଙ୍ଗି ସେଥିରେ ରଙ୍ଗ ବେରଙ୍ଗର ଫୁଲମାଳ ଦେଇ ପୂଜା କରିଥାନ୍ତି । କେବେଳ ସେତିକି ନୁହେଁ, ଏହି ଶୁଖୁଆକୁ ବେପାରୀ ଜଣକ ପ୍ରତି ସକାଳେ ସନ୍ଧ୍ୟାରେ ଚା ସହିତ ବିସ୍କୁଟ ମଧ୍ୟ ଖାଇବାକୁ ଦେଇଥାନ୍ତି । କହିବାକୁ ଗଲେ ଏହାକୁ ବିକ୍ରି ନକରି ପ୍ରତ୍ୟେକ ଦିନ ଏହାର ପୂଜା କରିଥାନ୍ତି । ଯାହା ଗ୍ରାହକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ତାଙ୍କୁ ଏହି ବଡ଼ ଶୁଖୁଆଟି ଏତେ ବସନ୍ଦ ଆସି ଯାଇଛି ଯେ ସେ ଏହାକୁ ନିଜ ପିଲା ଭଳି ରଖିଛନ୍ତି । କାହାରିକୁ ବିକ୍ରି କରିବେ ନାହିଁ ବୋଲି ସଫା ସଫା କହିଛନ୍ତି ।

ବେପାରୀ ଜଣକ କହିଛନ୍ତି କି ୫୨ ପ୍ରକାର ଶୁଖୁଆ ମଧ୍ୟରୁ କେତେକ ଶୁଖୁଆକୁ ସେ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି କରିଥାନ୍ତି । ଚିଙ୍ଗୁଡ଼ି ଶୁଖୁଆ, ପଥରମୁଣ୍ଡି, ମନୁହରି, ଇଲିସି, କଣ୍ଟିଆ, ମାରୁଆ, ଚୁଡା ଗୁଣ୍ଡି ଓ ସିଳା ଶୁଖୁଆର ଚାହିଦା ତାଙ୍କ ଦୋକାନରେ ଖୁବ ବେଶି ରହିଥାଏ । ତେବେ ତାଙ୍କ ଦୋକାନରେ ବିକ୍ରି ହେଉ କି ନହେଉ ସେ ଦୁଃଖ କରନ୍ତି ନାହିଁ । ଦୋକାନରେ ଝୁଲାଇଥିବା ଶୁଖୁଆକୁ ଦେଖି ଦେଲେ ସବୁ ଦୁଃଖ ସେ ଭୁଲି ଯାଆନ୍ତି ବୋଲି କହିଛନ୍ତି ନୃସିଂହ ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.