ବନ୍ଧୁକ ମୁନରେ ମଦ ବୋଝେଇ ଟ୍ରକ ଲୁଟ : ମାଷ୍ଟର ମାଇଣ୍ଡ୍ ସମେତ ୯ ଗିରଫ, ମଦ ଓ ଟ୍ରକ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟେରା ମାନେ ବନ୍ଧୁକ ମୁନରେ ଏକ ବିଦେଶୀ ମଦ ବୋଝେଇ ଟ୍ରକ ଲୁଟି ନେଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରି ୯ ଜଣଙ୍କୁ ଗିରଫ କରିବା ସହ ଲୁଟ ମଦ ପ୍ୟାକେଟ୍ , ଲୁଟରେ ବ୍ୟବହାର ଇନୋଭା କାର, ଦୁଇଟି ଟ୍ରକ, ୧୦ଟି ବୋବାଇଲ, ଗୁଳି ଓ ବନ୍ଧୁକ ଜବତ କରିଛି । ଚଳିତ ମାସ ୪ ତାରିଖରେ ଗୋପାଳପୁରସ୍ଥିତ ୟୁନାଇଟେଡ୍ ସ୍କିରିଟ୍ ରୁ ଏକ ଟ୍ରକରେ ୯୫୦ କାର୍ଟୁନ୍ ମଦ ବୋଝେଇ ହୋଇ ନିର୍ଗୁଣ୍ଡିସ୍ଥିତ ମଦ ଡିପୋକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ ଘାଟୀ ନିକଟରେ ଏକ ଇନୋଭା ଗାଡିରେ ଦୁର୍ବୃତ୍ତ ମାନେ ଆସି ଡ୍ରାଇଭର ଓ ହେଲପରଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିଥିଲେ ।

ପରେ ଡ୍ରାଇଭର ଓ ହେଲପରକୁ ଛାଡି ଦେଇ ଟ୍ରକଟିକୁ ଅନ୍ୟତ୍ର ନେଇ ଯାଇଥିଲେ ଲୁଟେରା ମାନେ । ଏନେଇ ବ୍ରହ୍ମପୁରର ୱେଲକମ୍ ଏଣ୍ଟରପ୍ରାଇଜେସ ନାମକ ସଂସ୍ଥାର ମାଲିକ ନିଜ ଟ୍ରକ ଚୋରୀ ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ । ପରେ ଏହି ଘଟଣାକୁ ଗଞ୍ଜାମ ଏସପି ବ୍ରିଜେଶ ରାଏ ଗୁରୁତ୍ତର ସହ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀଙ୍କ ନେତୃତ୍ତ୍ୱରେ ଏହି ଟିମରେ ଖଲ୍ଲିକୋଟ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ବଛା ବଛା ପୋଲିସ ଅଧିକାରୀ ମାନେ ସାମିଲ ହୋଇଥିଲେ । ତେବେ ପୋଲିସ ପାଇଁ ଏଭଳି ଏକ ଘଟଣା ଚାଲେଞ୍ଜ ହୋଇଥିବା ବେଳେ ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା । ଏହା ସହ ଏହି ମାମଲାର ଅଗ୍ରଗତି ସମ୍ପର୍କରେ ପ୍ରତ୍ୟେକ ଦିନ ପୋଲିସ ଅଧିକାରୀ ମାନେ ତଦାରଖ କରୁଥିଲେ । ଶେଷରେ ପୋଲିସକୁ ମିଳିଥିଲା ସଫଳତା ।

ଏହି ଘଟଣାରେ ୧୧ ଜଣଙ୍କ ସଂପୃକ୍ତି ଥିବା ବେଳେ ପୋଲିସ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ନୟାଗଡ଼ ଜିଲ୍ଲାର ମଧୁପୁର ଗାଁର ଦୁର୍ଦ୍ଧାନ୍ତ ଅପରାଧୀ ଅନନ୍ତ ମାଛୁଆ ଓରଫ ମଣି । ଦୁର୍ଦ୍ଧାନ୍ତ ଅପରାଧୀ ମଣି ଓ ତାର ସହଯୋଗୀ ବନମାଳୀ ପରିଡ଼ା ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଏକ ନମ୍ୱର ବିହୀନ ମୋଟର ସାଇକେଲରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା କୌଣସି ସୂତ୍ରରୁ ଖଲ୍ଲିକୋଟ ଥାନା ପୋଲିସ ସୂଚନା ପାଇଥିଲା । ପରେ ମଣିକୁ ଧରିବାକୁ ପୋଲିସ ଜାଲ ବିଛାଇଥିବା ବେଳେ ପୋଲିସ ଉପରକୁ ହଠାତ ଗୁଳି ଚାଳନା କରିଥିଲା ଅପରାଧୀ ମଣି । ପରେ ପୋଲିସ ଗୁଳିରେ ଆହାତ ହୋଇ ଧରା ପଡିଥିଲା । ମଣିକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲେରେ ଭର୍ତ୍ତି କରାଯାଇଥିବା ବେଳେ ତାର ସହଯୋଗୀ ଘଟଣାସ୍ଥଳରୁ ଅନ୍ଧାରର ସୁଯୋଗ ନେଇ କୌଶଳ କ୍ରମେ ଫେରାର ହେବାରେ ସଫଳ ହୋଇଛି ।

police

ସେପଟେ ଏହି ଲୁଟ୍ ଘଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପୁରୀ ଜିଲ୍ଲା ଗଡ଼ବାରପଡ଼ା ଗାଁର ପୁରୁଷୋତ୍ତମ ବଳିଆର ସିଂ ଓରଫ ଗୁଗୁନା, ଗୋଛିଆଁ ଗାଁର ପ୍ରଦୀପ ପ୍ରତାପ ସିଂ, ଖୋର୍ଦ୍ଧା ଜିଲ୍ଲା ଖଜୁରୀଆ ଗାଁର ନାସିର ଶାହା, ହାଡ଼ପଡ଼ା ଗାଁର ବିରଞ୍ଚି କୁମାର ବେହେରା ଓରଫ ଜିତୁ , ନାରଙ୍ଗଗଡ଼ ଗାଁର ମନୋଜ କୁମାର କାଣ୍ଡି ଓ କଟକ ଜିଲ୍ଲା କାନପୁର ଗାଁର ବନମାଳୀ ସାହୁ ଓରଫ ପପୁ । ସେହିଭଳି ଚୋରା ମଦ କିଣିବା ଘଟଣାରେ ଖୋର୍ଦ୍ଧା ଜିଲ୍ଲା କୁଣିଆସାମନ୍ତାରାପୁର ଗାଁର ପ୍ରମୋଦ ମାର୍ଥା ଓ ଯୋଗେଶ୍ୱର ବିଶ୍ୱାଳକୁ ମଧ୍ୟ ଗିରଫ କରିଛି ପୋଲିସ । ଚୋରା ମଦ ଗୁଡିକୁ କିଣିଥିବା ଏହି ଦୁଇ ଜଣ ଅନ୍ୟ ଏକ ଟ୍ରକ ଯୋଗେ ବିଭିନ୍ନ ସ୍ଥାନରେ ବିକ୍ରୀ କରିଦେଇଥିଲେ । ଆଜି ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା

ବେଳେ ପୋଲିସ ଗୁଳିରେ ଆହାତ ମଣିଙ୍କୁ ପରେ ଗିରଫ କରାଯିବ । ଏହା ସହ ଏହି ଘଟଣାରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଥିବା ଗଞ୍ଜାମ ଏସପି ବ୍ରିଜେଶ ରାଏ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ଅନନ୍ତ ଓରଫ ମଣି ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.