ଗଞ୍ଜାମ : ଗୋଟିଏ ଦିନରେ ଦୁଇଟି ଏନକାଉଣ୍ଟର

ଗଞ୍ଜାମ(କେନ୍ଯୁଜ୍) :ଗଞ୍ଜାମରେ ଗୋଟିଏ ଦିନରେ ଦୁଇଟି ଏନକାଉଣ୍ଟର । ଆଜି ଖଲ୍ଲିକୋଟରେ ପ୍ରଥମ ଏନକାଉଣ୍ଟର ହୋଇଥିବା ବେଳେ ଜଗନ୍ନାଥ ପ୍ରସାଦରେ ଦ୍ୱିତୀୟ ଏନକାଉଣ୍ଟର ହୋଇଛି । ଜଗନ୍ନାଥ ପ୍ରସାଦ ଥାନା ଝାଡ଼ଭୂମି ନିକଟରେ ପୋଲିସର ଦ୍ୱିତୀୟ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବାବୁ ନାୟକ ଆହତ ହୋଇଛି । ଗଞ୍ଜାମର ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ କିଛି ଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରୁ ଚମ୍ପଟ ମାରିଥିଲା । ଏ ଘଟଣାରେ ଅବହେଳା ପାଇଁ ଜଣେ ହୋମଗାର୍ଡଙ୍କ ସହ ୪ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି।

ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିଲା ବାବୁ। ଗତ ମେ ମାସ ୨୪ ତାରିଖରେ ପ୍ରାୟ ୮ ଲକ୍ଷ ଟଙ୍କା ସହ ୧୦ କିଲୋଗ୍ରାମ ସୁନା ଲୁଟ୍‌ କରିଥିଲା ବାବୁ ନାୟକ। ଅଗଷ୍ଟ ୩ ତାରିଖରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇ ଧରା ପଡିଥିଲା ବାବୁ। ଚିକିତ୍ସିତ ହେବା ପରେ ଭଞ୍ଜନଗର ସବଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଥିଲା। ସୁଯୋଗ ଦେଖି ସେ ଗତ ସେପ୍ଟେମ୍ବର ୯ ତାରିଖରେ ଜେଲ୍‌ ପାଚେରି ଡେଇଁ ଚମ୍ପଟ ମାରିଲା।

ସେତେବେଳେ ବଦଳି ହୋଇଥିଲେ ଜେଲର ଓ ନିଲମ୍ବିତ ହୋଇଥିଲା ୨ ଜଣ ଜେଲ୍‌ କର୍ମଚାରୀ। ପୋଲିସ ତାକୁ ଖୋଜି ଖୋଜି ଧରିଥିଲା ଗତ ଅକ୍ଟୋବର ୧୦ ତାରିଖରେ। ପୋଲିସ ପିଛା କରୁଥିବା ବେଳେ ସେ ଧରିଥିବା ବୋମା ଫୁଟି ଯିବାରୁ ଆହତ ହୋଇଥିଲା ବାବୁ। ଦେଢ଼ ମାସ ଧରି ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲା। ଏହାପରେ ବ୍ରହ୍ମପୁର ବଡ଼ ମେଡିକାଲରୁ ପୁଣି ଥରେ ଚମ୍ପଟ ମାରିଥିବା ବେଳେ ଆଜି ପୋଲିସ ଏନକାଉଣ୍ଟରେ ଗୁରୁତର ଆହତ ହୋଇଛି ।

Leave A Reply

Your email address will not be published.