ପୁଣି ସୃଷ୍ଟି ହୋଇଛି ଲଘୁଚାପ : ୧୬ଟି ଜିଲ୍ଲାକୁ ବଜ୍ରପାତ ସତର୍କ

ଭୁବନେଶ୍ବର(କେନ୍ଯୁଜ୍) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିବ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା ଜିଲ୍ଲାରେ ବର୍ଷିବ । ସେହିପରି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୬ଟି ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିରୁ ଅତି ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ। କାଲି ଯାଏ ରାଜ୍ୟରେ ପ୍ରବଳ ବର୍ଷା ରହିବ। ୨୮ରୁ କମିବ ବର୍ଷା ପରିମାଣ।
ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କୋଲାବ ଡ୍ୟାମ୍ର ଜଳସ୍ତର ବଢୁଛି। ତେଣୁ ଅପରକୋଲବରେ ଗୋଟିଏ ଗେଟ୍ ଖୋଲାଯାଇଛି। କୋରାପୁଟର ୪ଟି ବ୍ଲକର ୧୬ଟି ଗାଁକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ମାଛକୁଣ୍ଡ ଜଳଭଣ୍ଡାରର ୪ଟି ଓ ଜଲାପୁଟ ଜଳଭଣ୍ଡାରର ୫ଟି ଗେଟ୍ ଖୋଲାଯାଇଛି।
ବର୍ତ୍ତମାନ ସୁଦ୍ଧା ମୌସୁମୀରେ ଆମ ରାଜ୍ୟରେ ସ୍ୱାଭାବିକଠାରୁ ୧୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡିଦେଲେ, ଅନ୍ୟ ସବୁ ଜିଲ୍ଲାରେ ଭଲ ବର୍ଷା ହୋଇଥିବା କୁହାଯାଉଛି।