Below header

ରାକ୍ଷୀ ପାଳନ କରୁଛି ସାରା ଦେଶ : ଜଗତର ନାଥଙ୍କ ଠାରୁ ଯବାନ ସମସ୍ତଙ୍କୁ ବନ୍ଧା ହେଲା ସଂପର୍କର ସୂତା

ଭୁବନେଶ୍ବର(କେନ୍ଯୁଜ୍) : ରାକ୍ଷୀ ସୂତା ଖଣ୍ଡିଏ ନୁହେଁ, ସିଏ ସଂପର୍କର ସେତୁ । ଯେତିକି ବିଶ୍ୱାସ ଆଖିକୁ ସେତିକି ବିଶ୍ୱାସ ରାକ୍ଷୀକୁ । ଭାଇଭଉଣୀ ମଧ୍ୟରେ ଅନାବିଳ ସ୍ନେହର ପ୍ରତୀକ ରାକ୍ଷୀ । ପବିତ୍ର ଗହ୍ମା ପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ବାନ୍ଧି ଥାଏ ରାକ୍ଷୀ । ଭାଇର କୁଶଳ ମନାସିବା ସହ ଦୀର୍ଘାୟୁ କାମନା କରିଥାଏ ଭଉଣୀ । ଆଉ ପ୍ରତିବଦଳରେ ଭାଇ ତାକୁ ଦେଇଥାଏ ଜୀଇଁଥିବା ଯାଏଁ ସୁରକ୍ଷାର ପ୍ରତିଶ୍ରୁତି । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖରିତ । ଘରେ ଘରେ ନାନା ପିଠାପଣା ଓ ମିଠାର ମହକ । ଚାରିଆଡ଼େ ଆନନ୍ଦ ଉଲ୍ଲାସର ମାହୋଲ । ଆମ ପରଂପରା ଓ ସଂସ୍କୃତିର ରାକ୍ଷୀ ପୂର୍ଣ୍ଣିମାର ରହିଛି ଢେର ମହତ୍ୱ । କେବଳ ଭାଇ-ଭଉଣୀ ନୁହେଁ ପ୍ରଭୁଙ୍କୁ ମଧ୍ୟ ରାକ୍ଷୀ ବନ୍ଧାଯିବାର ପରମ୍ପରା ରହିଛି । ଏଥିପାଇଁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଭିଡ଼ ଲାଗିଛି । ସେହିପରି ଗହ୍ମା ପୂର୍ଣ୍ଣିମାରେ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ ।

rakhi

ମହାପ୍ରଭୁ ବି ପିନ୍ଧିବେ ରାକ୍ଷୀ । ମହାପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ହାତରେ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ଶ୍ରୀଜୀଉଙ୍କ ପାଇଁ ପାଟରା ବିଷୋୟୀ ସେବାୟତମାନେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ବାସୁଙ୍ଗା ପାଟରେ ୪ଟି ସ୍ୱତନ୍ତ୍ର ରଙ୍ଗ ଯଥା-ନାଲି, ନୀଳ, ବାଇଗଣୀ ଓ ହଳଦିଆ ରଙ୍ଗ ବ୍ୟବହାର କରି ମୋଟ ୪ଟି ରାକ୍ଷୀ ଓ ୪ଟି ଗୁଆମାଳ ପ୍ରସ୍ତୁତ ହୋଇଛି । ଏହାଛଡ଼ା ପାର୍ଶ୍ୱଦେବଦେବୀଙ୍କ ପାଇଁ ୮ଟି ଛୋଟ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ପାଟରା ବିଷୋୟୀ ସେବାୟତ । ଏହି ରାକ୍ଷୀ ଓ ଗୁଆମାଳକୁ ଦୁଇଟି ତାଡ଼ରେ ଶ୍ରୀମନ୍ଦିର ଅଭିମୁଖେ ନିଆଯାଇଥାଏ । ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ର ନୀତି ମଧ୍ୟ ପାଳନ କରାଯାଉଛି ।

ଆଜି ରକ୍ଷା ବନ୍ଧନ ଉତ୍ସବ । ଭାଇ ହାତରେ ରାକ୍ଷୀ ବାନ୍ଧି ଦୀର୍ଘାୟୁ କାମନ କରେ ଭଉଣୀ । ଓଡ଼ିଆ ପର୍ବପର୍ବାଣୀ ମଧ୍ୟରେ ଏହି ଦିନକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ସେହିପରି ଆଜି ବଳଭଦ୍ରଙ୍କ ଜନ୍ମଦିନ । ସେଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ।

rakhi

ସୀମାରେ ରକ୍ଷା ବନ୍ଧନ ଉତ୍ସବ । ଦେଶର ସୁରକ୍ଷା ଦାୟିତ୍ୱରେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ କାମନା କରିଛନ୍ତି ମହିଳା । ଏ ଦୃଶ୍ୟ ହେଉଛନ୍ତି ଭାରତ ପାକିସ୍ତାନ ସୀମାର । ଜମ୍ମୁ ସୀମାରେ ବିଏସଏଫ୍‌ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ମହିଳା । ହାତରେ ରକ୍ଷୀ ବାନ୍ଧିବା ସହ ସେମାନଙ୍କୁ ମିଠା ଖୁଆଇଛନ୍ତି । ସୀମାରେ ରକ୍ଷା ବନ୍ଧନର ଏହି ଉତ୍ସବ ଆବେଗମୟ ପରିବେଶ ସୃଷ୍ଟି କରିଥିଲା । ସେହିପରି ଡେରାଡୁନ୍‌ରେ ମଧ୍ୟ ଯବାନଙ୍କ ହାତରେ ରାକ୍ଷୀ ପିନ୍ଧାଇଛନ୍ତି ମହିଳା ।

ରାକ୍ଷୀ ପୁର୍ଣ୍ଣିମା । ପ୍ରତିବର୍ଷ ଏହି ଦିନଟିକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ପ୍ରତ୍ୟେକ ଭାଇ ଓ ଭଉଣୀ । ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ନେଇ ପାଳିତ ହୋଇଥାଏ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ । ଆଉ ଭାଇ ତାର ଭଉଣୀକୁ ସବୁ ସମୟରେ ସୁରକ୍ଷାର ଦେବାକୁ ଶପଥ ନେଇଥାଏ । ରାକ୍ଷୀ ପୂର୍ଣ୍ଣିମା ନେଇ ଚଳଚଞ୍ଚଳ ହୋଇଛି ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ କେନାଲ ଉପର ଗାଁ । ରାକ୍ଷୀ ପୂର୍ଣ୍ଣିମା ଦିନ ଘର ପିଠା ମିଠାରେ ଭାସେ । ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଏହି ଦିନଟିର ବେଶ ଗୁରୁତ୍ୱ ରହିଛି । ଏହି ଦିନଟିକୁ ବଳଭଦ୍ରଙ୍କ ଜନ୍ମଦିବସ ଭାବେ ମଧ୍ୟ ପାଳନ କରାଯାଏ । ରାକ୍ଷୀ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଉଠେ ଶ୍ରୀକ୍ଷେତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.