ତାଳଚେରରେ ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ଯାତ୍ରାରେ ଯୋଗ ଦେଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ତାଳଚେର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା। ମାଆଙ୍କ ପାଖରେ ପ୍ରତିବର୍ଷ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ଗୋପାଳପ୍ରସାଦ ଠାରେ ମା ହିଙ୍ଗୁଳା ଅଗ୍ନିରୁପରେ ଉଭା ହୁଅନ୍ତି। ସେହି ଦିନ ଠାରୁ ଆରମ୍ଭ ହୁଏ ମାଙ୍କ ଯାତ୍ରା। ଦୀର୍ଘ ୯ ଦିନ ଧରି ଚାଲେ ମାଙ୍କ ବାର୍ଷିକ ଯାତ୍ରା। ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରୋଷ ଘର ସହ ଅଗ୍ନିରୁପିଙ୍କର ନିବିଡ଼ ସମ୍ପର୍କ ରହିଛି।

ଦୀର୍ଘ ଦୁଇ ବର୍ଷ କରୋନା କଟକଣା ଯୋଗୁ ମାଙ୍କ ବାର୍ଷିକ ଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ କୋହଳ ହେବା ପରେ ମହା ଆଡମ୍ବରରେ ଆରମ୍ଭ ହୋଇଛି ମାଙ୍କ ଯାତ୍ରା। ମନ୍ଦିର ଠାରୁ ୧କିଲୋମିଟର ଦୂରରେ ଅଗ୍ନି ରୂପରେ ମା ଆର୍ବିଭାବ ହୋଇଛନ୍ତି। ମାଙ୍କ ଉଭାସ୍ଥଳରେ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଛି। ତେବେ ଏହି ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତଙ୍କ ହୁଳହୁଳି ଶବ୍ଦରେ କମ୍ପି ଉଠୁଛି ଉଭାସ୍ଥଳ। ମନସ୍କାମନା ପୂର୍ଣ୍ଣ ପାଇଁ ଭକ୍ତମାନେ ପୂଜାର୍ଚନା କରିବା ସହ ଦୀପ ଦାନ କରୁଛନ୍ତି।

ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ପ୍ରବଳ ଖରା ସତ୍ତ୍ୱେ ଭକ୍ତଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ବିଭିନ୍ନ ସ୍ଥାନରୁ ମାଙ୍କ ଦର୍ଶନ ପାଇଁ ଭକ୍ତ ଛୁଟି ଆସୁଛନ୍ତି। ଏହାସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଓ ପୂଜା କମିଟି ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ଭକ୍ତ ମାନଙ୍କୁ ଲମ୍ବା ଲାଇନ କରି ମାଙ୍କ ଦର୍ଶନ ନିମନ୍ତେ ମଧ୍ୟ ଛଡା ଯାଉଛି। ଖରା ଗରମ କାରଣରୁ ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଥଣ୍ଡା ପାନୀୟ ଜଳର ବ୍ଯବସ୍ଥା କରାଯାଇଛି।

ବହୁ ସ୍ଥାନରେ ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରାସାଦର ବ୍ଯବସ୍ଥା ସହ ଭକ୍ତ ମାନଙ୍କ ପାଇଁ ବିଶ୍ରାମ ସ୍ଥଳ, ଚିକିତ୍ସା କେନ୍ଦ୍ର ଆଦିର ବ୍ଯବସ୍ଥା ମଧ୍ୟ କରାଯାଇଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ହୋଇଛି। ତେବେ ମାନ୍ୟତା ଅନୁଯାୟୀ ପ୍ରତିବର୍ଷ ଏହି ଯାତ୍ର୍ରାରେ ମନ୍ଦିରର କିଛି ଦୂରରେ ଅଗ୍ନି ରୂପି ମାଆ ପ୍ରକଟ ହୋଇଥାନ୍ତି । ମାନେ ମନ୍ଦିରର ଅନତି ଦୂରରେ ଆପେ ଆପେ ନିଆଁ ଜଳେ। ଏହା ଉପରେ ଚାନ୍ଦୁଆ ରହିଥାଏ। ଯାହାକି ପର୍ବର ଶେଷ ଦିନରେ ଆପେ ଆପେ ଅଗ୍ନି ରୂପୀ ମାଆଙ୍କ ଉପରେ ପଡ଼ିଯାଏ।

ପ୍ରତ୍ୟକ ଦିନ ସନ୍ଧ୍ୟ୍ରାରେ ୧୮ ତମ ଲୋକମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସାମାଗମ ହେଉଥିବା ଦେଖିବାକୁ ମିଳିଛି । ମାଙ୍କ ମନ୍ଦିର ଠାରୁ ଉଭାସ୍ଥଳ ପର୍ଯ୍ଯନ୍ତ ଏକ ଆଧ୍ୟାତ୍ମିକ ବାତାବରଣ ଓ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.