ଏଠାରେ ୧୨ ବର୍ଷକୁ ଥରେ ପାଳିତ ହୁଏ ଅଧଷ୍ଠାତ୍ରୀ ଦେବୀ ମହାମାୟୀଙ୍କ ପାରମ୍ପରିକ ଯାତ୍ରା

ଐତିହାସିକ ସହର ଗଂଜାମ ଜିଲ୍ଲା। ଚଳିତ ଥର ଜିଲ୍ଲାର କବିସୂର୍ଯ୍ଯନଗର ଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀଙ୍କ ଆୟୋଜିତ ହୋଇଯାଇଛି ପାରମ୍ପରିକ ଯାତ୍ରା । ପ୍ରତି ୧୨ ବର୍ଷରେ ଥରେ ଏହି ଯାତ୍ରା ପାଳନ କରାଯାଏ। ଚଳିତ ବର୍ଷ ମଧ୍ୟ ଦୀର୍ଘ ୨୫ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଛି। ଏଥର ଦୈନିକ ହଜାର ହଜାର ସଂଖ୍ଯକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ମା’ଙ୍କ ଯାତ୍ରାରେ ।

କଳା – ସାହିତ୍ୟ – ସଂସ୍କୃତି ତଥା କବିସୂର୍ଯ୍ଯ ବଳଦେବଙ୍କ ପୀଠ ଭାବେ ପରିଚିତ କବିସୂର୍ଯ୍ଯନଗର ଅଞ୍ଚଳ । ଏହି ଐତିହାସିକ ଅଞ୍ଚଳ ସହ ଯୋଡ଼ି ହୋଇରହିଛି , ମା’ ମହାମାୟୀ ଙ୍କ ଶକ୍ତିପୀଠ । ସନ୍ଧ୍ୟା ସମୟରେ ମାଆଙ୍କ ଏହି ପାରମ୍ପରିକ ଯାତ୍ରାରେ ହଜାର ହଜାର ସଂଖ୍ଯକ ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ଉତ୍ସବମୁଖର ହୋଇ ଉଠୁଥିଲା କବିସୂର୍ଯ୍ଯନଗର ସହରର ପ୍ରତ୍ୟେକ ସାହି । ମା’ମହାମାୟୀଙ୍କ ଘଟ ଏବଂ ସାହି ପରିକ୍ରମା ଦେଖିବାକୁ ଜିଲ୍ଲା ତଥା ରାଜ୍ଯର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟୁଥିଲା । ଭକ୍ତିମୟ ହୋଇ ଉଠୁଥିଲା ସମୁଦାୟ ପରିବେଶ ।

ଶକ୍ତି ଉପାସନାର ନିଆରା ପ୍ରତୀକ ଗଂଜାମ ଜିଲ୍ଲା କବିସୂର୍ଯ୍ଯନଗର ସ୍ଥିତ ମା’ମହାମାୟୀଙ୍କ ପୀଠ । ବର୍ଷ ତମାମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିଲେ ମଧ୍ୟ ୧୨ ବର୍ଷକୁ ଥରେ ଆୟୋଜିତ ହେଉଥିବା ମା’ଙ୍କ ଏହି ଯାତ୍ରାର ସ୍ୱତନ୍ତ୍ରତା ରହିଆସିଛି । ସେହି କ୍ରମରେ ଚଳିତ ବର୍ଷ ମଧ୍ୟ ମା’ଙ୍କ ଏହି ଯାତ୍ରା ଆୟୋଜିତ ହୋଇଥିଲା

କେଉଁ ଆବାହମାନ ସମୟରୁ ପାଳିତ ହୋଇ ଆସୁଛି ଏହି ଯାତ୍ରା । ଚଳିତବର୍ଷ ମଧ୍ୟ ଆୟୋଜିତ ଯାତ୍ରାରେ ପ୍ରତ୍ୟେକ ସଂଧ୍ୟାରେ ମହିଳା ଭକ୍ତଙ୍କ ଦ୍ଵାରା ମା’ଙ୍କ ଘଟ ପରିକ୍ରମା ହୋଇଥିଲା । ବିଭିନ୍ନ ବେଶ, ପଟୁଆର, ବାଦ୍ୟ-ବାଜଣା, ଆଲୋକ-ସଜ୍ଜା , ନାଚ-ଗୀତ ଓ ହଜାର ହଜାର ଭକ୍ତଙ୍କ ଗହଣରେ ସହରର ନିର୍ଦ୍ଧାରିତ ସାହି ବାଡ଼ ପରିକ୍ରମାରେ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ । ଏଥିପାଇଁ ସହର ସମେତ ବିଭିନ୍ନ ସାହିରେ ଆସ୍ଥାୟୀ ମେଢ଼, ଆଲୋକ ସଜ୍ଜା , ନାଚ , ଗୀତ , ମୀନା ବଜାର , ଯାତ୍ରା ନାଟକ ପରିବେଷଣ ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା। । ଦୂରଦୂରାନ୍ତରୁ ଆସିଥିବା ମାନସିକଧାରୀ ଭକ୍ତ ମାନେ ବେଶ ହୋଇ ମା’ଙ୍କ ନିକଟରେ ନିଜର ମାନସିକ ଜାଚି ଥିଲେ ।

ମାଆ ମହାମାୟିଙ୍କ ଚଳିତ ବର୍ଷର ଯାତ୍ରାକୁ ସୁରୁଖୁରୁରେ ସମାପ୍ତ କରିବାକୁ ମନ୍ଦିର କମିଟି , ଯାତ୍ରା କମିଟି , ସ୍ଥାନୀୟ ପ୍ରଶାସନ , ପୋଲିସ୍‌ ବାହିନୀ ,ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଅଞ୍ଚଳବାସୀନିୟୋଜିତ ହୋଇଥିଲେ। ଶକ୍ତି ଉପାସନାର ଆଦିପୀଠ କୁହାଯାଉଥିବା ଏହି ପୀଠରେ ମା’ଙ୍କ ପାଦ ଦର୍ଶନ ଭକ୍ତଙ୍କ ପାଇଁ ବିଶେଷ ଆକର୍ଷଣ ଥିଲା। ଏସବୁ ଭିତରେ ୧୨ ବର୍ଷରେ ଥରେ ଆୟୋଜିତ ହେଉଥିବା ମା’ଙ୍କ ପାରମ୍ପରିକ ଯାତ୍ରା କେବଳ ଯାତ୍ରା ଭିତରେ ସୀମିତ ହୋଇ ରହିନାହିଁ ବରଂ ଏହି ଯାତ୍ରା କବିସୂର୍ଯ୍ଯନଗର ଅଞ୍ଚଳର କଳା-ସାହିତ୍ୟ-ସସ୍କୃତି , ଭାଇଚାରା ଓ ଶୃଙ୍ଖଳିତ ଆଚରଣର ନୂଆଁ ସମ୍ଭାବନା ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.