ମହିଳାଙ୍କ ଅସ୍ତ୍ରୋପଚାରରେ ସାଙ୍ଘାତିକ ତୃଟି ! ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର

ଝାରସୁଗୁଡା/ସମ୍ବଲପୁର: ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମହିଳାଙ୍କ ଅସ୍ତ୍ରୋପଚାରରେ ତୃଟି ! ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର । ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ  କୁହାକୁଣ୍ଡାଠାରେ ରହୁଥିବା ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ମହିଳାଙ୍କ ଖାଦ୍ୟ ନାଳୀ କାଟି ଦେଇଛନ୍ତି। ମହିଳାଙ୍କ ଅବସ୍ଥା ଏବେ ଗୁରୁତର ହୋଇ ପଡ଼ିଛି। ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି।

ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ଏପରି ବେପରୁଆ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।

ଗତ ମଙ୍ଗଳବାର ଲଖନପୁର  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ଶିବିର ଚାଲିଥିଲା । କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଏଠାକୁ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ଅସ୍ତ୍ରୋପଚାର ସମୟରେ ଭୁଲରେ ଡାକ୍ତର ତାଙ୍କ ଖାଦ୍ୟ ନଳୀକୁ କାଟି ଦେଇଥିଲେ । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ପରେ ବୁର୍ଲା ହସ୍ପିଟାଲକୁ ନିଆଯାଇଛି। ହେଲେ ଏଭଳି ତୁଟିପୂର୍ଣ୍ଣ ଚିକିତ୍ସା ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲାରେ ସରକାରୀ ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାରୁ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।