ମାଲକାନଗିରି ଏସ୍‌ପିଙ୍କ ଆହ୍ବାନ: କରୋନା ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଚିକିତ୍ସା କରାଯିବ

 ମାଲକାନଗିରି(କେନ୍ୟୁଜ୍): ଲାଲବାହିନୀରେ ପଶିଲା କରୋନା । ଓଡ଼ିଶା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ମହାମାରୀ କରୋନା ନେଲାଣି ଅନେକ ମାଓବାଦୀଙ୍କ ଜୀବନ । କରୋନା କିମ୍ବା ଅନ୍ୟ ରୋଗରେ ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ସେମାନଙ୍କ ଚିକିତ୍ସା କରାଯିବ । ଛତିଶଗଡ଼ ପୋଲିସ ପରେ ମାଲକାନଗିରି ଏସ୍‌ପି ଋଷିକେଶ ଦୟାନନ୍ଦ ଖିଲାରୀ ମାଓବାଦୀଙ୍କୁ ଏହି ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି, ଯେଉଁ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ ସେମାନଙ୍କ ନାଁରେ ମାମାଲେ ରୁଜୁ ହେବ ନାହିଁ । ଜିଲ୍ଲାର ମାଓ ପ୍ରଭାବିତ ଇଲାକାରେ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛନ୍ତି ସୁରକ୍ଷାକର୍ମୀ । କୌଣସି ଗାଁରେ ସେମାନଙ୍କୁ ପୂରାଇ ନଦେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ ।

ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡାରେ ଦଶରୁ ଅଧିକ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୫-୨୦ ଜଣ କ୍ୟାଡର ମାଓବାଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ମାଓ କ୍ୟାମ୍ପରୁ ମିଳିଥିବା ଚିଠିରୁ ଏହି ତଥ୍ୟ ପାଇଛି ଛତିଶଗଡ଼ ପୋଲିସ । ମୃତ ମାଓବାଦୀ ଦକ୍ଷିଣ ବସ୍ତର ଓ ଦରଭା ଡିଭିଜନର ସଦସ୍ୟ ବୋଲି ଜଣା ପଡିଛି । ବିଜାପୁର ଜିଲ୍ଲାର ପାଲନାର ଜଙ୍ଗଲରେ ମାଓ କ୍ୟାମ୍ପକୁ ଧ୍ୱଂସ କରିବା ବେଳେ ସେଠାରୁ ଏହି ଚିଠି ମିଳିଛି। ଯେଉଁଥିରେ ଲେଖାଅଛି, ରୋଗ ଦ୍ରୁତ ବ୍ୟାପୁଛି ଓ ଅଧିକ ବୟସ୍କ ଗୁରୁତର ହୋଇ ପଡୁଛନ୍ତି ।

ଚିଠିରେ ମୃତ ଓ ଅସୁସ୍ଥଙ୍କ ନାଁ ଉଲ୍ଲେଖ ରହିଛି । ଏପରିକି କରୋନା ଭୟରେ ଅନେକ କ୍ୟାଡର ମାଓବାଦୀ ସଂଗଠନ ଛାଡ଼ି ପଳାଇଛନ୍ତି । ଏନେଇ ବସ୍ତର ଆଇଜି ମାଓବାଦୀଙ୍କ ଦ୍ୱାରା ମିଟିଂ, ରାଲିରେ ସାମିଲ ନହେବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ସେହପିରି ରୋଗାକ୍ରାନ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି । ସେମାନଙ୍କ ଚିକିତ୍ସା ବି କରାଯିବ ବୋଲି ବସ୍ତର ଆଇଜି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.